(ସୋମନାଥ ସିଂହ)
ମନେ ପଡ଼ୁଛି ଶ୍ୟାମ ପୀରତି ଗୋ । ଘୋଷା ।
କରୀଦନ୍ତ ପଲଙ୍କେ ବସାଇଥାଏ ଅଙ୍କେ
ଖସାଇ ଦିଏ ବାସ ଝଟତି ଗୋ । ୧ ।
କମ୍ପୁ ଯେ ଥାଏ ଅଙ୍ଗଦେଶ ଭୂଷଣ ଭଙ୍ଗ
କରଇ କେତେ ରଙ୍ଗେ ସୁରତି ଗୋ । ୨ ।
ଜାଣଇ କାମରଣ ଭଲା ସେ ନବଘନ
କେବେ ନୁହଇ ମନ ଧୀରତି ଗୋ । ୩ ।
ଚୁମ୍ବନ ଦିଏ ଧୀରେ ଭିଡ଼ୁ ଯେ ଥାଏ ଉରେ
ଲବେ ଉର ପକାୟେ କରତି ଗୋ । ୪ ।
ସୋମନାଥ ନରେଶ ଭାଷେ ନୁହ ବିରସ
ରଖି ତ ଅଛ ତୁମ୍ଭେ କୀରତି ଗୋ । ୫ ।