(ସୋମନାଥ ସିଂହ)
ଏ କି ସଜ ଦେବରାଜ ଦୂତ ଘେନିଣ ସଙ୍ଗର ହେ । ଘୋଷା ।
ହେଉଅଛ ତରତର ଛବି ତ ଭିନ୍ନ ପ୍ରକାର
ତେଜିବ କି ଏବେ ଗୋପ ବନିତା
ବୋଲି ଆମ୍ଭଙ୍କୁ ଲାଗୁଅଛି ଚିନ୍ତା
ଏ କି ଉଚିତ ହେ ଜଗଜ୍ଜିତା
କେ ଦେଲା ଯନ୍ତର । ୧ ।
କ୍ଷଣେ ହେଉଥିଲେ ଭିନ୍ନ ଉଡ଼ି ଯାଉଥାଏ ଜ୍ଞାନ
ଦିଶୁଅଛି ଘେନିବ କି ପ୍ରାଣ
ବିଚିତ୍ର ମାନୁଛି ହେ ଶ୍ୟାମଘନ
ଶୁଣା ତ ନ ଥିଲା କାଳେ ଏମାନ
କହିବୁ କାହାରେ ହେ । ୨ ।
ନାଗରୀ ନାଶ ନ କର ଛାଡ଼ ମନୁ ଏ ବିଚାର
ନିଷ୍ଠୁର ହୃଦୟକୁ ଧରିବାର
ଛାଡ଼ ଛାଡ଼ ଏଣୁ ଯାଉ ଯେ ଦୂର
ବୋଲାଉଅଛ ନାଗରଙ୍କ ବର
ଘେନ ଘେନ ବାରେ ହେ । ୩ ।
ସବୁ ରୂପେ କରି ଆଶ ହେଉଥାଉ ରାତ୍ରି ଶେଷ
ନିରାଶ ନ ଜାଣି କରି ବିଶ୍ୱାସ
ଯେସନେ ଚାତକ ଘନକୁ ଆଶ
ଏବେ ଜଣାଗଲା ତୁମ ନିରାଶ
ବଞ୍ଚିବୁ କାହାରେ ହେ । ୪ ।
ନ ଯାଅ ଆମ୍ଭ ଶପଥ କହୁଅଛୁ ପଦ୍ମନେତ୍ର
ଗଲେ ଦେଇଯାଅ ଢୋକାଇ ବିଷ
ଯଦି ଏଥିରେ ଅଛି ପୌରୁଷ
ଭଣେ ସୋମନାଥ ସିଂହ ନରେଶ
ଶୁଣୁ ନାହଁ କର୍ଣ୍ଣରେ ହେ । ୫ ।