(ସୋମନାଥ ସିଂହ— ରାଗ କେଦାର)
ନୀପ ମୂଳେ ବିଜେ ନଟବର ହେ
ମୋହନ ମୁରଲୀ ଧରି କର ହେ । ଘୋଷା ।
ଚିତ୍ତରେ ବିଚାରି ପ୍ରଭୁ କରିବାର ହାସ
ଅଧରେ ବଇଁଶୀ ଦେଇ ସୁରସରେ ଘୋଷ ଯେ
ଡାକନ୍ତି ସେ ନାମ ଧରି ଆସ ସହଚରୀ
ଶୁଣିଣ ଉତ୍ସୁକ ହେଲେ ବରଜ ନାଗରୀ ଯେ
କେ କାହାର ପୁରରେ ଆପଣା ବିଷୟରେ
ପତିସୁତ କୋଳରେ ଧରିଣ ପଲଙ୍କରେ
ପକାଇ ଧାମନ୍ତି ବାଳୀ ହୋଇକରି ତରତର । ୧ ।
କେବଣ ଚତୁରୀ ନାରୀ ବେଶ ସମ୍ଭାଳ
କାହାର ପିନ୍ଧିଲା ବାସ ପଡ଼େ ଅନ୍ତରାଳ ଯେ
କେହୁ ଧରା ପରେ ଧୀରା ହୋଇ କରି ନର ହେ
ମଦନ ମାଦକେ କାର କମ୍ପୁଥାଏ କାୟ ଯେ
ଚନ୍ଦ୍ରମୁଖୀ ହରଷ ହୋଇଣ ହସ ହସ
କେ ବୋଲଇ ଗୋ ଆସ ଯିବା ଶ୍ରୀ କୃଷ୍ଣ ପାଶ
ଗଜଗମନା ଗମନ୍ତି ଧରି ଆନନ୍ଦ ମନର । ୨ ।
ନୟତନ ବୟସୀ ସର୍ବେ ମତ୍ତ ଗର୍ବେ ତରେ
ନ ମାନନ୍ତି ଗୁରୁଜନ ସେ ସ୍ମର କାତର ଯେ
ନ ଡରିଣ ଘୋର ବନ ନିଶାରେ ଗମନ
କରେ ଧରିଛନ୍ତି ତୋଳି ନାନା ପୁଷ୍ପମାନ ଯେ
ଚାଲ ଚାଲ ବୋଲନ୍ତି ଆଗେ କେହୁ ଧାମନ୍ତି
କା କର କେ ଧରନ୍ତି ଶୁଣ ଶୁଣ ଡାକନ୍ତି
କେତେ ରଙ୍ଗ ଜାଣେ ଶ୍ୟାମ ଯୁବତୀ କୁଳକୁ ମାର । ୩ ।
ଏମନ୍ତେ ବ୍ରଜ ଯୁବତୀ ବ୍ରଜରାଜ ପାଶେ
ନାନା କଉତୁକେ ପୁଷ୍ପ ମଣ୍ଡନ୍ତି ହରଷେ ଯେ
ଜାଣନ୍ତି ତାହାଙ୍କ ମନ ହରଷ ହୋଇଣ
କୁଞ୍ଜବନେ ନାନା କେଳି କଲେ ଶ୍ୟାମଘନ ଯେ
ଜାଣନ୍ତି ମୋହି ସେହୁ ଯାକୁ ଯେମନ୍ତ ଯେହୁ
ସେ ଭାବ କେହି କହୁ ନ ଥିବେ କାହିଁ ଆଉ
ଭାଷେ ସୋମନାଥ ସିଂହ ମର୍ଦ୍ଦରାଜ ବୀରବର । ୪ ।