(ସୋମନାଥ ସିଂହ— ରାଗ ମାଳଶ୍ରୀ)
ଦେଖ ଦେଖ ପଦ୍ମମୁଖ ମହାମେରୁ
କ୍ଷୟ ହୁଏ କୋଟି ଜନ୍ମର ଦୁଃଖ । ଘୋଷା ।
ଶିର ଶୋଭାବନ ସେବତୀ ପୁଷ୍ପ
ଶ୍ରୀରଙ୍ଗା ଅଧରେ ଲାବଣ୍ୟ ହସ
କରୁଛନ୍ତି ପ୍ରଭୁ ଜଗତେ ବାସ
ଚକାନୟନେ ମୋହନ୍ତି ଦଶ । ୧ ।
ଠେକ ନାସାକୁ ଶୋଭଇ ବସଣୀ
କର୍ଣ୍ଣେ କୁଣ୍ଡଳ କଣ୍ଠେ ନାନା ମଣି
ହୃଦେ କଉସ୍ତୁଭ ବିରାଜେ ପୁଣି
ତେଜ ବିକାଶ ଦିନମଣି ଘେନି । ୨ ।
କପାଳେ ଜମ୍ବୁନଦ ଠିଆ ଚିତା
ତଥି ପରେ ଅଛି ଗଜ ମୁକୁତା
ଭୁଜ ଟେକିଛନ୍ତି ଜଗତଜିତା
ଭକତବାନ୍ଧବ ତ୍ରୈଲୋକ୍ୟପିତା । ୩ ।
ସିଂହ କଟୀରେ ଶୋଭେ ପୀତାମ୍ବର
ତହିଁ ଭିଡ଼ିଛନ୍ତି କିଙ୍କିଣୀ ସାର
ରତ୍ନ ସିଂହାସନ ଚକା ଉପର
ବିଜେ କରିଛନ୍ତି ନୀଳ କନ୍ଦର । ୪ ।
ଯାହାନ୍ତି ନ ପାନ୍ତି ଚଉଦ ପୁରେ
କି ଉପମା ଦେବା ସେ ପ୍ରଭୁଠାରେ
କରୁଣା କିଞ୍ଚିତ ହେଉ ମୋ ଠାରେ
ସୋମନାଥ ସିଂହ ରାଜା ବିଚାରେ । ୫ ।