(ନାରାୟଣ— ରାଗ କଲ୍ୟାଣ, ତାଳ ଏକତାଳି)
ଦେଖିବ ପରା ଆସରେ ପ୍ରାଣସଜନୀ
ଶ୍ରୀ ବଂଶୀଧର ବେଶକୁ
ନଟ ନାଗରବର ଝୁଲିବା ଚାଲି ତାର
ସେ ବାଙ୍କ ନୟନର ଚାହାଣୀ ଛଟକକୁ
(ପଡ଼ି)
କାମ କମାଣ ମାରେ ମରମକୁ
ମନ୍ଦହାସିତ ସେ ବ୍ରଜମୋହନକୁ
ନୀଳ ମେଘରେ କି ବିଜୁଳି ଘନଘନ
ଶ୍ୟାମସୁନ୍ଦର ଦୁଃଖନାଶନକୁ । ୧ ।
ଶିରରେ ବାଙ୍କଚୂଳକୁ ଖଞ୍ଜିଛି ତାକୁ
ମୟୂରର ଚନ୍ଦ୍ରିକାକୁ
ତହିଁର ଯେ ତଳକୁ ସେବତୀର ବେଢ଼ାକୁ
ମଲ୍ଲୀ ଜାମୁଡାଳକୁ ଖୋଷିଛି ମଧ୍ୟମାକୁ
(ପଡ଼ି)
ଗୋରଚନା ଚିତା ଶୋହେ ଶ୍ରୀ କପାଳକୁ
ଚନ୍ଦନର ବିନ୍ଦୁ ତହିଁର ତଳକୁ
ଇନ୍ଦ୍ରନୀଳ ଧନୁ ନିନ୍ଦେ ଭ୍ରୂଲତାକୁ
ନୟନେ ରଞ୍ଜିତ ଅଞ୍ଜନକୁ । ୨ ।
ସାଜେ କର୍ଣ୍ଣ କୁଣ୍ଡଳକୁ ମଣ୍ଡି ଗଣ୍ଡକୁ
ମୁକୁତା ମଣି ନାସାକୁ
ପାନେ ପାଚି ଦନ୍ତକୁ ତହିଁ ସୁନା ଖିଲକୁ
ଶୋଭା ବକ୍ଷ ସ୍ଥଳକୁ କଉସ୍ତୁଭ ହାରକୁ
(ପଡ଼ି)
ହେମ କଙ୍କଣ ତା ବେନି କରକୁ
ଅଙ୍ଗୁଷ୍ଠିରେ ଘେନି ରତ୍ନ ମୁଦ୍ରିକାକୁ
ହସ୍ତରେ ମୁରଲୀ ଧରିଛି ସ୍ନେହକୁ
ନିଶିରେ ଡାକଇ ଆମ୍ଭମାନଙ୍କୁ । ୩ ।
ବାଛିଣ କଳା ଝୀନକୁ କାଛିଣ ତାକୁ
ପିନ୍ଧିଛି କେତେ ଯତ୍ନକୁ
କ୍ଷୀରଦରୀ ପାଟକୁ ରିକ ଉପରାଣକୁ
ତାଙ୍କ କଟୀ ତଟକୁ କିଙ୍କିଣୀ ଭୂଷଣକୁ
(ପଡ଼ି)
ଡାକଇ ଗୀର ଗୋପୀ ଆସ କୁଞ୍ଜକୁ
ଶୁଣିଣ ଦମ୍ଭ ନ ରହେ ମନକୁ
କାହୁଁ ଶିଖିଛି ମୋହିନୀ ମନ୍ତ୍ରକୁ
ମାର ଶରେ ମାରଇ ମର୍ମକୁ । ୪ ।
ଶ୍ରୀଚରଣ ଯୁଗଳକୁ ନାଚେ ନାଟକୁ
ଉକୁଟାଇଣ ତାଳକୁ
ତା ଧ୍ରୀମି ଧ୍ରୀମି ତାକୁ ତା ଖୁନ୍ଦାରି ଝେଣାକୁ
ଥଲାଙ୍ଗ ତାକ ଧିକୁ ତାକ ଦଧିଘନକୁ
(ପଡ଼ି)
ମାଳଭୈରବ ଉଚ୍ଚାରେ ରାଗକୁ
ବାଜେ ମର୍ଦ୍ଦଳ ମୃଦଙ୍ଗକୁ
ତା ଧ୍ରୀମି ଧ୍ରୀମି ଧ୍ରୀମି ତା ତାକୁ
ତାଖିଟା ତାରିଖିଟା ବାଜେ ବାଦ୍ୟକୁ । ୫ ।
ସୁମନା ଅନା ଶ୍ୟାମଙ୍କୁ ନ ମଣ ତାଙ୍କୁ
ଇତର ପରି ଚିତ୍ତକୁ
ବ୍ରହ୍ମା ରୁଦ୍ର ଦେବଙ୍କୁ ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ରଙ୍କୁ
ଗୋଚର ନୁହେଁ ଯାର ଚରଣାରବିନ୍ଦକୁ
(ପଡ଼ି)
ମୁନିଗଣେ ସେବି ନ ପାନ୍ତି ଯା ପାଦକୁ
ଭାଗ୍ୟେ ପ୍ରାପତ ଆମ୍ଭମାନଙ୍କୁ
ଦର୍ଶନ କରିବା ମୁରଲୀ ଧାରୀଙ୍କୁ
ନାରଣ ଚିନ୍ତଇ ପଦ୍ମପାଦକୁ । ୬ ।