(ବନମାଳୀ— ରାଗ ଗୁଜ୍ଜରୀ, ତାଳ ଆଠତାଳି)
ଶ୍ୟାମ ନାଗର ପରି
ଚଉଦ ପୁରେ ନ ଥିବେ ସମସରି । ଘୋଷା ।
ନୋହେଁ ନନ୍ଦସୂନୁ କୁସୁମ ଧନୁ
ବ୍ରଜେ ରହିଛି ତନୁ
କି ଅପରୂପ ତନୁ ଚାହିଁ ନ ଯାଏ ମନୁ
ଆଖିରେ ରହେ ଲାଖି ରେ
ମୁଖ ଦେଖି ରେ, ଜାଣ ସଖୀ ରେ । ୧ ।
କି ରମ୍ୟ ମୃଦୁହାସ କାମିନୀ ଫାଶ
ଧଇର୍ଯ୍ୟ କରେ ନାଶ
ବିଷ ହେଲା ଆବାସ ଅଳ୍ପ ଢାଳିଲେ ଦୃଶ
ନାହିଁ ତ ସଖୀ କାହିଁ ତ
ଦେଲି ଚାହିଁ ତ, ହେଲି ମୋହିତ । ୨ ।
ମନୁ ପାଶୋରି ନୁହେଁ ମଦନ ଦହେ
ସଖୀ ଦେଖିଲେ ରହେ
କେ ସେ ଶ୍ୟାମ ବିରହେ ପ୍ରାଣ ରଖିବ ଦେହେ
ସହୀରେ ଆଉ ମହୀରେ
ସୁଖ ନାହିଁ ରେ, ତାକୁ ଚାହିଁ ରେ । ୩ ।
ବନମାଳୀ ବଖାଣି ମୁରଲୀପାଣି
ତନୁକୁ ଧାତା ଆଣି
କେତେ ପୀୟୂଷ ଛାଣି ଗଢ଼ିଛି ନୁହେ ଜାଣି
ଗୋକୁଳେ ରହିବେ ନାହିଁ
କୁଳେ କୁଳବତୀ, ନ ଯାଇ ତା କତି । ୪ ।