Syama Bandhu Mohini Kala

ଶ୍ୟାମ ବନ୍ଧୁ ମୋହିନୀ କଲା
(Banamali— Raga Khanda Bangalasri, Tala Khemata)
(ବନମାଳୀ— ରାଗ ଖଣ୍ଡ ବଙ୍ଗଳାଶ୍ରୀ, ତାଳ ଖେମଟା)

ଶ୍ୟାମ ବନ୍ଧୁ ମୋହିନୀ କଲା
ଚାହିଁବା ମାତ୍ରକେ ମନ ମୋହିଲା । ଘୋଷା ।

କାଳିନ୍ଦୀ କୂଳରେ କଦମ୍ବ ମୂଳରେ
ତ୍ରିଭଙ୍ଗିମା ରୂପ ଭଲା ହୋଇଲା
ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ
ଚାରି ଛନ୍ଦେ ତହିଁ ବେଣୁ ବାଇଲା । ୧ ।

ତରୁ ପଲ୍ଲବିତ ଯମୁନା ସ୍ଥକିତ
କୁଳବତୀ କୁଳଶୀଳ ନାଶିଲା
କେକୀ କୋକିଳ ମୂକ କଣ୍ଠ ହୋଇଣ
ପାଷାଣ ତରଳି ଧାରା ବହିଲା । ୨ ।

କେଉଁ ଗୋପାଙ୍ଗନା ଯାଇଣ ଯମୁନା
ଜଳ ମଧ୍ୟେ ତା କଳସୀ ଖସିଲା
ଲେଉଟି କଦମ୍ବ ମୂଳକୁ ଚାହିଁଣ
ଚମକି ଚତୁରୀ ତଳେ ପଡ଼ିଲା । ୩ ।

ମୋହନ ଚରଣ ଅଷ୍ଟାଦଶ ଚିହ୍ନ
ବନମାଳୀ ଦାସ ଚିତ୍ତେ ଧ୍ୟାଇଲା
ଶିବ ସୁର ମୁନି ଯାହାକୁ ନ ପାନ୍ତି
ମାତା ଯଶୋବନ୍ତୀ ତାହା ପାଇଲା । ୪ ।