Nua Nata Patali Mukuta He

ନୂଆ ନଟ ପଟଳୀ ମୁକୁଟ ହେ
(Kabisurjya— Raga Chokhi, Tala Ekatali)
(କବିସୂର୍ଯ୍ୟ— ରାଗ ଚୋଖି, ତାଳ ଏକତାଳି)

Also sung in Kumbha Kamodi
କୁମ୍ଭକାମୋଦୀ ରାଗରେ ମଧ୍ୟ ବୋଲାଯାଏ

Ṅa Patala — Kisorachandrananda Champu
ଙ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ନୂଆ ନଟ ପଟଳୀ ମୁକୁଟ ହେ
ନାହିଁ କି ଶ୍ରୀଅଙ୍ଗ ସୁଖ
ନିପଟ ନିସ୍ତେଜ ଦିଶୁଛି ତ ଆଜ
ନିରଳସ ଚନ୍ଦ୍ରମୁଖ । ଘୋଷା ।

ନୀଳୋତ୍ପଳ ବାସି ହେଲା ପରି ଦିଶି
ଯାଉଛି ଦୂରୁ ଶ୍ରୀଅଙ୍ଗ
ନାସା ନୀଳ ତିଳ ଫୁଲରୁ ଅନିଳ
ପ୍ରସରୁଛି ବେଗ ବେଗ । ୧ ।

ନୀପ ଉପବନ ନିକଟ ପବନ
ସ୍ପରଶରୁ ଯେବେ ଡର
ନଦୀକୂଳସ୍ଥଳ ଏ ବଡ଼ ଶୀତଳ
ନୁହନ୍ତାଟିକି ବିହାର । ୨ ।

ନିଦ ନାହିଁ କି ନୟନେ ନିଶି ଦିନ
ଆହା ମରଇ ମୋ ଧନ
ନବନୀତ ତହୁଁ ମୃଦୁ ଦେହେ କାହୁଁ
ସମ୍ଭବିଲା ଏ କଦନ । ୩ ।

ନବ ହେମଦ୍ୟୁତି ଅମରୀଏ ନିତି
ନିଅନ୍ତି ଫୁଲ ଏ ବନୁ
ନେତ୍ର ପଥେ ପଡ଼ିଗଲେ କି ସେ ଛାଡ଼ି
ଯାଉ ନାହିଁ ଜ୍ୱର ମନୁ । ୪ ।

ନ ବିହର ଗୋପ ସଙ୍ଖାଳି ଏ ପାପ
ଗହନରେ କିଛି ଦିନ
ନରେଶ ମଣ୍ଡନ ଶ୍ରୀ ହରିଚନ୍ଦନ
ଜଗଦ୍ଦେବ
ସ୍ତବ ଘେନ । ୫ ।