(କବିସୂର୍ଯ୍ୟ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
Ja Patala — Kisorachandrananda Champu
ଜ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ
ଯାହା ଇଚ୍ଛା ତୋର ତାହା କର
ଜ୍ୱଳନରୁ ବଳି ସେହି ଦିନୁ କେଳି
କରେ ବିଭାବରୀ ନାହାକର । ଘୋଷା ।
ଜଣକେତେ ବ୍ରଜଶିଶୁ ଥିଲେ ନିଜ
ପୂରୁଁ ଆସୁଥିଲି ଖେଳାଇ ସମଜ
ଜମ୍ଭାରାତି ମଣି ଗିରୀନ୍ଦ୍ରକୁ ଜିଣି
-ବାର ପୁରେ ହେଲା ମୋ ନଜର । ୧ ।
ଜାତି କୁରୁବିନ୍ଦ ବାତାୟନ ବୃନ୍ଦ
ଅନାଇଁ ମୁ ଚାଲୁଥିଲି ମନ୍ଦ ମନ୍ଦ
ଜଙ୍ଗମ ହେବାର ଜମ୍ବୁନଦ ସାର
ଶିରୀ ସ୍ଫୁରିଲା ସେ କି ପ୍ରକାର । ୨ ।
ଜୀବନଦ ନୀଳ ଜଳଜ ଯୁଗଳ
ବିଧୁ ବିମ୍ବେ ହୋଇ ବିଳାସ ବିଲୋଳ
ଜାତ କଲା ଗର ଜରଜର ଶର
ନିକର ବରଷା ଖରତର । ୩ ।
ଜହରକୁ ଗୋଳି ଦେଲା ପରି ଗିଳି
ମୋହର ଦେହର ପୀଡ଼ା ଗଲା ବଳି
ଜୀବନାଶା ଟଳି ଯାଉଅଛି କଳି
ପାରୁ ନାହିଁ ମୁଁ ମୋ ହୃଦନ୍ତର । ୪ ।
ଜନ ମନୋହାରୀ ସେ ବିଚିତ୍ର ଶିରୀ
କାହା ନେତ୍ରପାତ୍ରେ ଯାଇ ନାହିଁ ପୂରି
ଜଗଦ୍ଦେବ ହରିଚନ୍ଦନ ମୋହରି
ନାମ କହୁଅଛି ନିରନ୍ତର । ୫ ।