Priya Sahi Paramada Bada Tuhi Go

ପ୍ରିୟ ସହି ପରମାଦ ବଡ଼ ତୁହି ଗୋ
(Kabisurjya— Raga Sankarabharana, Tala Adatali)
(କବିସୂର୍ଯ୍ୟ— ରାଗ ଶଙ୍କରାଭରଣ, ତାଳ ଆଡ଼ତାଳି)

Pa Patala — Kisorachandrananda Champu
ପ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ପ୍ରିୟ ସହି ପରମାଦ ବଡ଼ ତୁହି ଗୋ
ପାରୁ କେତେ ଛନ୍ଦେ ମୋହି ଗୋ । ଘୋଷା ।

ପରମ ପଦରେ ଦେଇ ଜାଣୁ ତୁ ରସାଇ
ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ
ପାଶୋରାଇ ମନୁ ନାନା କଦନ ଲସାଇ
ପୀଡ଼ୁ ଅଶ୍ରୁ ବରଷାଇ ଗୋ । ୧ ।

ପ୍ରପଞ୍ଚ ଯାକରେ ଜଣା ନ ଥାଇ ସଂଶୟ
ପସନ୍ଦ ନୁହଇଁ ପର ପୁରୁଷରେ ସ୍ନେହ
ପର ବଶ ହେବ ଯେବେ ପ୍ରାଣ ତୁଲେ ଦେହ
ପ୍ରାଣୀ କି କରିବ କହ ଗୋ । ୨ ।

ପରବ ଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ
ପରିଣତି ସମୟେ ସେ ହେବ ଯେବେ ବିଷ
ପ୍ରପନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଳ୍ୱିଷ
ପ୍ରୟୋଗ କରିବା କିସ ଗୋ । ୩ ।

ପିଆଇ ଦୁହିଙ୍କି ଥରେ ଦୁହିଙ୍କ ଅଧର
ପଛେ କହ ଆଚରଣ ପୂତନା ବଧର
ପୀତପଟ ନଟ ନାଁ ମୋ ଆଗରେ ନ ଧର
ପାଳିଏ ମାତ୍ର ଉଦ୍ଧର ଗୋ । ୪ ।

ପୁରନ୍ଦର ମଣି ଶ୍ୟାମେ ଅଛି ମୋ ତରସ
ପର ପରିବାଦ ମୁଣ୍ଡେ ଟାକର ବରଷ
ପୃଥ୍ୱୀ ଚକ୍ରବାଳ ପରିବୃଢ଼ ବାଲୁକେଶ
ପ୍ରସରାଇଲେ ଏ ରସ ଗୋ । ୫ ।