Phati Padibara Nikunja Sanchara

ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର
(Kabisurjya— Raga Khambaja, Tala Adatali)
(କବିସୂର୍ଯ୍ୟ— ରାଗ ଖମ୍ବାଜ, ତାଳ ଆଡ଼ତାଳି)

Pha Patala — Kisorachandrananda Champu
ଫ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମୁଁ ମୋ ଚରଣ ତଳ
ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ
ରେ କିଶୋରି ଫିଟିଗଲା ଯେ ସନ୍ଦେହ
ଫୁଲିଗଲୁ ଫୁଲ ଲଲାମ ରସିକା ଜାଣି ପରା ଶ୍ୟାମ ସ୍ନେହରେ । ୧ ।

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା
ଫଟା କପାଳରେ କୁଟିଳ ହୃଦୟା ବୋଲାଇବା ଲେଖା ଥିଲା
ରେ କିଶୋରି ଫନ୍ଦାଧନ ତୁ ତ ମୋର
ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କରରେ । ୨ ।

ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି
ଫଉଜ ତୁଲେ କୁଞ୍ଜ ଦ୍ୱାରେ ରଖାଅ ବେତ୍ରବଲ୍ଲୀ ଧରଣୀକି
ରେ କିଶୋରି ଫରମାସ ମନେ ମନେ
ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେରେ । ୩ ।

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ
ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ
ରେ କିଶୋରୀ ଫୁରୁଣା ହୋଇ ତୁ ରସ
ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ର କଞ୍ଜୁ ନୀର ନ ବରଷରେ । ୪ ।

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି
ଫୁଙ୍କି ଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ
ରେ କିଶୋରି ଫୁକାରା ନୋହୁ ଜଗତେ
ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ । ୫ ।