Lila Nidhi He Laje Mun Galiti Sadhi

ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି
(Kabisurjya— Raga Desa, Tala Khemata)
(କବିସୂର୍ଯ୍ୟ— ରାଗ ଦେଶ, ତାଳ ଖେମଟା)

La Patala — Kisorachandrananda Champu
ଲ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି
ଲୁଚାଇଛ କାହିଁ ଶ୍ୟାମ ହେ
ଦିଅ ମୋ ଲାଗି ଶାଢୀ । ଘୋଷା ।

ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି
ଲୋକହସାରେ ଯେବେ ଯିବି ସରି
ଲସିବି ଯେବେ ପାଇ ନିନ୍ଦା ଦାଉ
ଲାଗିଲି ଆପଣଙ୍କୁ କେହି ଆଉ । ୧ ।

ଲକ୍ଷ ଲକ୍ଷ ରାଣ ଅଛିଟି ମୋର
ଲଲାମ ଆଦି ଭୂଷା ସଜ କର
ଲିଭିଥିବ ଭୂରୁ ମଧ୍ୟ ତିଳକ
ଲେଖିଦିଅ ବେଗେ ନ ଦେଖୁ ଲୋକ । ୨ ।

ଲୋଭୀ ଶ୍ରୀଭୁଜବନ୍ଧ ଶିଥିଳାଅ
ଲତା ଗହଳେ ଗହନେ ପଳାଅ
ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ
ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ । ୩ ।

ଲଗାଇଛ ହଟ ଯେଉଁ ରସରେ
ଲୁଟିବ ସିନା କଲି ପ୍ରଦୋଷରେ
ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ
ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪।

ଲଲିତା ନୋହେଟି ଯେ ଡାକୁଅଛି
ଲକ୍ଷ ଦୁଷ୍ଟେ ରଖିଅଛି ମୁଁ ବାଛି
ଲଘୁ କରିଦେବ ଦେଖିବା କ୍ଷଣେ
ଲେଖାଧିପ ଅଷ୍ଟଦୁର୍ଗର ଭଣେ ।୫।