Satapada Nila Kesa Ago Chahan Chahan

ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ
(Kabisurjya— Raga Sankarabharana, Tala Rupaka)
(କବିସୂର୍ଯ୍ୟ— ରାଗ ଶଙ୍କରାଭରଣ, ତାଳ ରୂପକ)

Ṣa Patala — Kisorachandrananda Champu
ଷ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ
ସର୍ବଂସହାରେ ଖେଳୁଛି ନବ ବାରିବାହ
ସମୀପରେ ତାର ରହି
ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ । ୧ ।

ସଜ ହୋଇ ସ୍ମର ସରଦାର ଅବା ଆସେ
ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ
ସାରିଦେବି ପରା ଆଜ
ସରୋଜ ସୁନ୍ଦର ନେତ୍ରା ଜନ ମନ ଲାଜ । ୨ ।

ସୁରେଶ୍ୱର ରତନ କି ହେବାରୁ ଜଙ୍ଗମ
ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ
ସ୍ବର୍ଣ୍ଣ ବର୍ଣ୍ଣାଏ ଏଣିକି
ସମ୍ପାଦିବେ ମୂର୍ତ୍ତିମନ୍ତ ରତନ ଶ୍ରେଣୀକି । ୩ ।

ସଞ୍ଚରଣଶୀଳ ନବ ତମାଳ ଭୂରୁହ
ସଙ୍ଗେ ଘେନି ଆସୁଅଛି ସଖା ଶାଖିବ୍ୟୂହ
ଶୁକ ଶାରୀ ପରଭୃତ
ଶାଖା ମାନଙ୍କରେ କରୁ ଅଛନ୍ତି ସଙ୍ଗୀତ ।୪।

ସୁରଧୁନୀ ତୀରେ କରିଥିବା ଯେବେ ତପ
ସଙ୍ଖାଳି କରି ଏ ତାପିଞ୍ଛର ଅନାତପ
ସୁଖେ ବଞ୍ଚିବା ବସନ୍ତେ
ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।