Rama Range Mote Thare

ରାମା ରଙ୍ଗେ ମୋତେ ଥରେ
(Upendra Bhanja— Raga Kaphi, Tala Sarimana)
(ଉପେନ୍ଦ୍ର ଭଞ୍ଜ— ରାଗ କାଫି, ତାଳ ସରିମାନ)

ନବାନୁରାଗ

ରାମା ରଙ୍ଗେ ମୋତେ ଥରେ ଥରେ ଅନାଉରେ
ରହି ମୁଁ ଚାହିଁଲେ ତ ନ ଅନାଉରେ । ଘୋଷା ।

ରତି ପ୍ରାଣପତି ବାଣ ମୋର ଈକ୍ଷଣ ତୀକ୍ଷଣ
ଏଥୁଁ କେ ବଡ଼ ବୋଲି କି ଘେନାଉରେ । ୧ ।

ରାଜୀବ ମୃଗ ଖଞ୍ଜନ କବି କରନ୍ତି ସମାନ
ତାକୁ କି ଜଗତଯାକେ ଚିହ୍ନାଉରେ । ୨ ।

ରଞ୍ଜନ ନୟନା ଠାର ଗୁପତ ତହିଁ କୁଠାର
ଯୁବା ଦମ୍ଭ ତରୁ କିବା ଛିନ୍ନାଉରେ । ୩ ।

ରସାଳସା ରୁରୁଦୃଶା ନାହିଁ ନାହିଁ ମୋ ଭରସା
ବୋଲିବାକୁ ମୋର ସ୍ନେହ ଜନ୍ମାଉରେ । ୪ ।

ରସେ ଭାଷେ ବୀରବର ବାଳା କଲା ସୀଉକାର
ହସି ଯେ ନାଗର ମନ ମନାଉରେ । ୫ ।