(ଉପେନ୍ଦ୍ର ଭଞ୍ଜ— ରାଗ କଲ୍ୟାଣ ଆହାରୀ, ତାଳ ଏକତାଳି)
ବିରହୋତ୍କଣ୍ଠିତା
ରେ ସହଚରୀ ସୁଖୀ ହେବି ଲଭି ପ୍ରିୟକୁ
ସୁନ୍ଦର ଚାଟୁରେ ଆଜ ଛଡ଼ାଇବେ ମୋର ଲାଜ
ଦୂର କଲି କାମ ଭୟକୁ । ଘୋଷା ।
ସନ୍ନିଧେ ମିଳନ୍ତେ ମୁହିଁ ବସାଇବେ କୋଳେ ନେଇ
ମୁଖେ ଦେଇ ଚୁମ୍ବଚୟକୁ
ଖସାଇ ଦେହରୁ ବାସ ସେ ଯେ କରିବେ ଆଶ୍ଳେଷ
ଦେଖାଇ ନ ଦେବି କାୟକୁ । ୧ ।
ସୁରତି ରତରେ କିଣି ମନକୁ ରଖିବେ ପୁଣି
ରଚି ଗତି ସମୁଦାୟକୁ
ସନ୍ତୋଷେ କରିବିଟି କି ବଜାଇ କ୍ଷୁଦ୍ରଘଣ୍ଟିକି
ମୁଁ ଗୋ ରତିରଣ ଜୟକୁ । ୨ ।
ସେ ଯେ କରିବେ କରଜ କ୍ଷତ ବିଧିରେ ବିରାଜ
ମୋ ଉରଜ ଶମ୍ଭୁ ଦ୍ୱୟକୁ
ଶୁଝାଇବି ସୁଧା ପିଇ ଅଧରେ ଦନ୍ତ ବସାଇ
ଏକ ଭାବେ ସେ ସମୟକୁ । ୩ ।
ଶୁଣନ୍ତିଟି ଆସି ଏହା ନାହା ଯାଇ ଦ୍ୱାରେ ଚାହା
ରଖିଥିବେ ମୋରେ ଲୟକୁ
ସଂଖ୍ୟାବାନ ଉପଇନ୍ଦ୍ର ଭଞ୍ଜ କହେ ପ୍ରେମାନନ୍ଦ
ଉତ୍କଣ୍ଠିତା ରସୋଦୟକୁ । ୪ ।