Sangini Swami Gale Bidesa

ସଙ୍ଗିନୀ ସ୍ୱାମୀ ଗଲେ ବିଦେଶ
(Upendra Bhanja— Raga Chinta Mukhari, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ଚିନ୍ତାମୁଖାରୀ, ତାଳ ଏକତାଳି)

ପ୍ରୋଷିତଭର୍ତ୍ତୃକା

ସଙ୍ଗିନୀ ସ୍ୱାମୀ ଗଲେ ବିଦେଶ
ସରିଲାଣି ମୋର ନବ ବୟସ । ଘୋଷା ।

ସଙ୍ଖୁଳି କି ଖଳ ଧାରା ଏ କାଳେ
ଦେଲା ଏକାକୀ କ୍ଳେଶ
ସଦନ ବନ ଚନ୍ଦନ ଘନସାର
ତ ଦିଶେ ଅଗ୍ନି ସଦୃଶ । ୧ ।

ସଫଲ ମାଧବୀ ମଲ୍ଲୀ କୋକିଳେ
ପୁଣି କଲେ ନିର୍ଘୋଷ
ସୁଦର୍ପ ହୋଇ କନ୍ଦର୍ପ ନିଶ ଧରଇ
ମାରି ନେବ କି ଯଶ । ୨ ।

ସଙ୍କଟ ଏଣୁ ପ୍ରକଟ ବଳିଗଲାଣି
ପରା କଣ୍ଟ ଦିବସ
ସରସ ଚିତ୍ତେ ମୋର ରସ ନ ପଡ଼ିଲା
କି ପୂରୁଛି ବରଷ । ୩ ।

ସନ୍ଦେଶ ନେଇ ସେ ଦେଶେ ଯାଇ କେ
ପୁଣି ଆଣି ଦିଅନ୍ତା ଈଶ
ରଚେ ବୀରବର ଏ ଗୀତେ ପ୍ରୋଷିତ
ଭର୍ତ୍ତୃକାର ବିରସ । ୪ ।