(ଉପେନ୍ଦ୍ର ଭଞ୍ଜ— ରାଗ କରୁଣାଶ୍ରୀ, ତାଳ ଏକତାଳି)
ଚିତ୍ରପଟ ଦେଖୁ ଦେଖୁ ଦିନେ ପ୍ରିୟ ତାର
ଚାହିଁ କୋକନଦ କଲା ନେତ୍ର ଇନ୍ଦୀବର
ଚନ୍ଦ୍ରବଦନା ଯେ । ଘୋଷା ।
ଚାଟୁ କହି ତୋ ରୂପ ସେ ବୋଲି ପ୍ରାଣପତି
ଚିତ୍ତ ଯେ ଜଡ଼ାଇ ମନ ନାନା ରସେ ମାତି । ୧ ।
ଚନ୍ଦ୍ରାର୍ଦ୍ଧ ଚିହ୍ନ ଅନାଇ ଦିନେ ବର ଉରେ
ଚନ୍ଦ୍ରକୁ ରଖିଲା ବିକଶିତ କମଳରେ । ୨ ।
ଚିତୁଅତୋଗତ ନିଶି ଚିହ୍ନ ବୋଲୁ ଇଶ
ଚତୁରୀ ହେଜି ମଜ୍ଜିଲା ହୋଇ ହସ ହସ । ୩ ।
ଚରିତ ଏ ରୂପେ ରୋଷ ତୋଷ ହୋଇବାର
ଚିତ୍ତ ଅନ୍ତର ନୁହଇ ନିମିଷେ ପ୍ରିୟର । ୪ ।
ଚାରୁକୁସୁମ୍ଭ ରାଗ ଏ ଜଗତ ବିଦିତା
ଚିନ୍ତେ ଉପଇନ୍ଦ୍ର ରାମ ଜନକଦୁହିତା । ୫ ।