(ଉପେନ୍ଦ୍ର ଭଞ୍ଜ— ରାଗ କୌଶିକ, ତାଳ ସରିମାନ)
ସମ୍ପୂର୍ଣ୍ଣ ଚୁମ୍ବନ ଲକ୍ଷଣ
କହ ବଚନ
କଳକଣ୍ଠ ଜିତ ବାଣୀ ନୋହି ମଉନ । ଘୋଷା ।
କରରେ ଗଣ୍ଡ ନ ଧର କମ୍ପାନା ରଙ୍ଗ ଅଧର
ଘେନ ମୋ ବିନୟ ଧରାସ୍ତନା
କି କାରଣେ ମାନ କରିଅଛୁ ଆରେ ମତ୍ତ କରୀ
-ଗତି ଏ ମାନ ନ କରି ଅନା ରେ । ୧ ।
କଜ୍ଜ୍ୱଳ ମିଶ୍ରିତ ବାରି ଖସଇ ରଖ ନିବାରି
ନେତ୍ର ପରା ତୋର ବାରିରୁହ
କର ମନରେ ମନ୍ଦରସ୍ତନା କି ତୋର ସୁନ୍ଦର
ଦିଶିଲାଣି ଅସୁନ୍ଦର ଦେହ ରେ । ୨ ।
କାନ୍ତ ଧରି କାନ୍ତା କର ବୋଇଲା ରୋଷ ନ କର
ବନ୍ଧୁ ମୁଁ ତୋ ପରିକର ପରି
କହୁଁ ଏମନ୍ତ ହସିଲା ଦଇତ କୋଳେ ବସିଲା
ରତି ରସରେ ରସିଲା ଗୋରୀ ସେ । ୩ ।
କୃତ ସମ୍ମୁଖେ ରସନା ଚାଳୁଁ ଉଭୟେ ରସନା
ବଜାଇ ନୀଳବସନା ମୋହି
କହି ସମ୍ପୂର୍ଣ୍ଣ ଚୁମ୍ବିତ ଉପେନ୍ଦ୍ର ସୁଗ୍ରୀବ ମିତ୍ର
ଭଜଇ ସୁଖ ଅମିତ ବହି । ୪ ।