Sara Saja Sarasa Lapana Re

ସାର ସଜ ସାରସ ଲପନା ରେ
(Gopalakrusna— Raga Kamodi, Tala Ekatali)
(ଗୋପାଳକୃଷ୍ଣ— ରାଗ କାମୋଦୀ, ତାଳ ଏକତାଳି)

ସାର ସଜ ସାରସ ଲପନା ରେ
ସାଜ ମୋ ପରି ସଜ କୋପନା ରେ । ଘୋଷା ।

ବୀଣାଜିଣା ବଚନା କିଣା ଜନେ ବିମନା
ହେଉ କିମ୍ପାଇଁ ସ୍ନେହ ଅଧୀନା ରେ । ୧ ।

ନାଗରତ କୋପନା ନାଗରେ ତୁ ହସ ନା
ନାଗରା ବାଜେ ତୋର ମୁଁ ସିନା ରେ । ୨ ।

ଏ ରାତିରେ ନବୀନା ହରା ରାତି ବେଦନା
ସହି ହେବ କି ବନ୍ଧୁ ତୋ ବିନା ରେ । ୩ ।

ସୁନାରୀଶ ସୁମନା ତୁ ହୋଇଲେ ବିମନା
କି ଗତି ଅଛି ମୋରଟି ଅନା ରେ । ୪ ।

କର ଧରୁଛି ଅନା ମଥା ପୋତି ବସନା
ଗୋପାଳକୃଷ୍ଣେ ଦୟା ତେଜନା ରେ । ୫ ।