(ଗୋପାଳକୃଷ୍ଣ— ରାଗ ବସନ୍ତ, ତାଳ ତ୍ରିପଟା)
ମଜ୍ଜା ମଜ୍ଜାଇଲି ନ ଯାଇ ହଜାଇଲି
ଲଜ୍ଜାଳୁ ଜାଣୁମଣିକି ରେ । ଘୋଷା ।
ଏ ମଧୁର ନିଶାରେ ବିରହ ଦଶାରେ
ପ୍ରାଣ ଧରିବ କେହି ବାଣ ସ୍ମରର ସହୀ
ତ୍ରାଣ ନ ଦିଶେ ତେଣିକି ରେ । ୧ ।
ତେଜି ନେତ୍ରୁ ବାରି ହେବନି ଧିକ୍କାରି
କ୍ଷାମ ତ ଦିଶୁଥିବ ଯାମକ ଯୁଗ ହେବ
ତାମରସ ଈକ୍ଷଣୀକି ରେ । ୨ ।
ଅରଜିଲି ନିନ୍ଦା ବରଜିଲି ଫନ୍ଦା
ଆଶୀବିଷ ପୋଷିଲି ନାଶି ସୁମନ ବଲ୍ଲୀ
ଆସି ରହିଲି ଏଣିକି ରେ । ୩ ।
ମନେ ମନେ ମୋତେ ଲୋଡ଼ୁଥିବ କେତେ
ଆଉ ଦେଖିବି ମୁହିଁ ଦାଉ ମାରଇ ସହୀ
ଆଉ ପ୍ରାତଃ ସ୍ମରଣୀକି ରେ । ୪ ।
ଗୋପାଳକୃଷ୍ଣର ବାଞ୍ଛା କରିବାର
ସୁକୃତର ଫଳ କି ସତେ ଲଭ୍ୟ ହେବକି
ଦେଖି ସୁଚାରୁ ବେଣୀକି ରେ । ୫ ।