(ଗୋପାଳକୃଷ୍ଣ— ରାଗ ଶ୍ରୀ, ତାଳ ଆଦିତାଳ)
କେ କି କହି କଲା ମନା ରେ ଚନ୍ଦ୍ରବଦନା । ଘୋଷା ।
ପାଶୋରି ଦେଲୁ କେମନ୍ତେ ଅଙ୍କେ ଧରି ସୁରତାନ୍ତେ
ବୋଲୁ ମୋ ଗଣ୍ଠିର ସୁନା ରେ । ୧ ।
ଆଗେ ପଠାଇ ଆଳୀକି ଆସି ଥାଉ ଦେହଳୀକି
ପାଛୋଟି ଘନ ଜଘନା ରେ । ୨ ।
ତନୁ ନୀପ ଫୁଲ ପରି ହେଉ ଥାଇ ଜବାଧରୀ
ଶୁଣିଲା କ୍ଷଣି ମୋର ନାଁ ରେ । ୩ ।
ପ୍ରୀତି ବତ୍ସଳା ପଣରେ ନାରୀ ଜଗତ ଯାକରେ
ତିଳେ ନ ଥିଲା ତୁଳନା ରେ । ୪ ।
ହସି ହସି ଲାଜେ କଥା କହି ପୋତିବାର ମଥା
କାହିଁ ଗଲା ସେ ଭାବନା ରେ । ୫ ।
ଗୋପାଳକୃଷ୍ଣ କହଇ ପୂର୍ବ ପରି ବେଶ ହୋଇ
ଥରେ ଦିଶା ଦେଉ କିନା ରେ । ୫ ।