(ଗୋପାଳକୃଷ୍ଣ— ରାଗ ପୁନ୍ନାଗ ବରାଡ଼ି, ତାଳ ଯତି)
ପ୍ରାଣ ମିତଣୀ ରେ ଫିଟାଇ କହ ତୁ ମଜ୍ଜା
ତୋତେ ମୋହନଙ୍କୁ ବନ୍ଦୀ କରିଥିଲା
କୁଞ୍ଜେ କେଣେ ସ୍ମର ରଜା । ଘୋଷା ।
ଚଳାପାଙ୍ଗୀ ପ୍ରଚଳାକ ମୁକୁଟ ତୁ
ଭେଟ ହେଲୁ କେଉଁଠାରେ
କି ଲଟରୁ ତାଙ୍କ ଉତ୍ତରୀୟ ପୀତ
ପଟ ବହିଛୁ ଅଙ୍ଗରେ । ୧ ।
ଫୁଲ ତୋଳୁଥିଲୁ ପଲ୍ଲବ ଅଧରୀ
ଏବେ ଆଳୀ ସନ୍ଦୋହରେ
କେ ବିହିଲା ମଣ୍ଡମଣ୍ଡଳେ ତାମ୍ବୂଳ
ବୋଳ ମକରୀ ଉପରେ । ୨ ।
ଲବ ଶିଥିଳ ନୋହିଥିଲା ସଜାଡ଼ି
ଥିବାର ସଜ ଯାବତ
ମଦ କୁଞ୍ଜର କର କଞ୍ଜ ପରାଏ
ହୋଇଛୁ ତ ଅସ୍ତବ୍ୟସ୍ତ । ୩ ।
କିଶୋରୀ ମୁକୁଟମଣି ମୋ ମୁହଁକୁ
ଚାହୁଁ କିନା ସରି କରି
ଲାଗକୁ ଆସ ବିନ୍ଦୁ ବିନ୍ଦୁ ମୁଖରେ
ଝରିଛି ତ ଶ୍ରମ ବାରି । ୪ ।
କୁନ୍ଦଲତାକୁ ହସିଣ ଶ୍ରୀ ଲଳିତା
ଭାଷନ୍ତି କେ କହିଲାନି
ଗୋପାଳକୃଷ୍ଣ ଭଜେ ରାଧା ପଦାବ୍ଜେ
କୁସୁମ ବ୍ୟଜନ ଘେନି । ୫ ।