Dhira Samire Basi Dakuchi To Naa Re

ଧୀର ସମୀରେ ବସି ଡାକୁଛି ତୋ ନାଁ ରେ
(Gopalakrusna— Raga Bhairabi, Tala Rupaka)
(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ରୂପକ)

ଧୀର ସମୀରେ ବସି ଡାକୁଛି ତୋ ନାଁ ରେ । ଘୋଷା ।

ପ୍ରାଣେଶ୍ୱରୀ ରାଧିକେ ଶ୍ରୀମତୀ ଗାନ୍ଧର୍ବିକେ
ବୋଲୁ ହଜିଯାଉଛି ତୋ ଚେତନା ରେ । ୧ ।

ବନେ ପ୍ରତି ବଲ୍ଲୀକି ଧେନୁ ପଶୁ ପକ୍ଷୀକି
ତୋ ଅଭିଧାନରେ କରି କଳ୍ପନା ରେ । ୨ ।

ତୋଳି କୁସୁମ ବାଳା ତୋ ବେଶ ପାଇଁ ମାଳା
ଗୁନ୍ଥି ସେ ରଖୁଛି ଚନ୍ଦ୍ରବଦନା ରେ । ୩ ।

ଧ୍ୟାନ କରୁ ତୋ ରୂପ ବହେ ଲୁହ ଅମାପ
ଦ୍ୱିଗୁଣେ ବୃଦ୍ଧି ହେଲାନି ଯମୁନା ରେ । ୪ ।

ତୋ ଦୋଷ ବୁଝାମଣା କରି ଛାମୁକୁ ଅଣା
ଦଣ୍ଡ ଦିଅ ପଛକେ ତୁ ରୁଷନା ରେ । ୫ ।

ଗୋପାଳକୃଷ୍ଣ ବୋଲେ ସେହି ସଜେ ଚଳିଲେ
ପଥେ ସହୀ କହେ ଶୁଣ ସୁମନା ରେ । ୬ ।