Bauni Bauni Re Guna

ବାଉନି ବାଉନି ରେ ଗୁଣ
(Gopalakrusna— Raga Misra Mukhari, Tala Khemata)
(ଗୋପାଳକୃଷ୍ଣ— ରାଗ ମିଶ୍ରମୁଖାରୀ, ତାଳ ଖେମଟା)

ବାଉନି ବାଉନି ରେ ଗୁଣ ମଉନି ହେଲେଣି ମା
ଲୋଟୁଛନ୍ତି କଳିନ୍ଦଜା ତୀର
ଫୁଲବନୀ ଅବନୀରେ । ଘୋଷା ।

ସୁମରି ସୁମରି ହରି
ଜାଣ ତୋ ସୁଷମା ଶ୍ରୀ କିଶୋରୀ
ଗାଉଥିଲେ ଗୀତ କରି
ଧରି ବୀଣା ପ୍ରାଣ ସଙ୍ଗିନୀ ରେ । ୧ ।

ପ୍ରସାରି କର ସାରିକି
ବସାଇ ଧୀରେ ଗୋ ସ୍ୱାମିନୀକି
ଡାକ ଆସିବେ ଏଣିକି
ବୋଲୁ ନେତ୍ର ଥନଥନ ନୀରେ । ୨ ।

ଆସୁଥିବୁ ପରା ବୋଲି
ଘଡ଼ି ଘଡ଼ିକି ନବ ଛଇଳୀ
ତୋଳି ସଘନେ ଭ୍ରୂବଲ୍ଲୀ
ଚାହୁଁଥିଲେ ଚନ୍ଦ୍ରବଦନୀ ରେ । ୩ ।

ଶ୍ୟାମ କରିବାର ଦୋଷ
ସହୀ ମୋହର ହେଲା ଗୋ ଆସ
ହୁଅ କି ନ ହୁଅ ବେଶ
ବ୍ରଜ ଯୋଷା ଶିରମଣ୍ଡନୀ ରେ । ୪ ।

ନଖରୁ ଶିଖ ପର୍ଯ୍ୟନ୍ତେ
ଆଳୀ ସାଜିଲେ ବେଶ ତ୍ୱରିତେ
ଗୋପାଳକୃଷ୍ଣ ପୁରତେ
ଘେନିଗଲା ଲାଗ ବର୍ତ୍ତନୀ ରେ । ୫ ।