Tote Kahila Pari Mote Charama Kari

ତୋତେ କହିଲା ପରି ମୋତେ ଚରମ କରି
(Gopalakrusna— Raga Kirabani, Tala Ekatali)
(ଗୋପାଳକୃଷ୍ଣ— ରାଗ କୀରବାଣୀ, ତାଳ ଏକତାଳି)

ତୋତେ କହିଲା ପରି ମୋତେ ଚରମ କରି
ମରମ ବିଦାରି ପକାଇଲା ରେ । ଘୋଷା ।

ବାଟ ପାଶୋରିଲୁ ପରା ଯେ ଅଇଲୁ
କେତେ ଦିନକୁ ଦୟା ହୋଇଲା ରେ । ୧ ।

କରାଇଛି ବ୍ରତ ଆଜ ପୁରୋହିତ
ପୁରୁଷକୁ ଅନାନା ବୋଇଲା ରେ । ୨ ।

ତୁ ଭାଷନ୍ତେ ଧୀରେ କଥା ହେଲେ ଥରେ
ନିଷେଧି ମଥା ତ କମ୍ପାଇଲା ରେ । ୩ ।

ମୋହନଙ୍କୁ ଚାହିଁ ଚାହିଁବି ତ ନାହିଁ
ତୋ ମୁଖେ ଯାଆନ୍ତୁ ବୋଇଲା ରେ । ୪ ।

କୁଶଳ କି ମିତ ତୁମ୍ଭର ଯାବନ୍ତ
ସଂଖୁଳିଲା ଆଗହୁଁ ଛଇଳା ରେ । ୫ ।

ଗୋପାଳକୃଷ୍ଣ ସେ ବାଣୀ ଶୁଣି ଭାଷେ
ଆପଣ ରୀତିକି ଯୋଗାଇଲା ରେ । ୬ ।