Mo Jibara Jibana Mitani Re

ମୋ ଜୀବର ଜୀବନ
(Gopalakrusna— Raga Mohanaa, Tala Rupaka)
(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ରୂପକ)

ମୋ ଜୀବର ଜୀବନ
କାହିଁକି ଆଜ ସଜ ସରସିଜ
ମୁଖ କରିଛନ୍ତି ମ୍ଳାନ ମିତଣୀ ରେ । ଘୋଷା ।

ଲେଉଟାଇ ଗୋଧନ
ଆସୁ ସଦନକୁ ସବୁ ଦିନ ପରି
ଶୁଭୁ ନାହିଁ ବଂଶୀ ସ୍ୱନ । ୧ ।

ଆରାଧି ବିକର୍ତ୍ତନ
ଆସିଲା ବେଳେ ହସି ହସି ଯାଚି
ଦେଇ ଅଇଲି ଚୁମ୍ବନ । ୨ ।

ପର୍ଣ୍ଣ ସହ ପ୍ରସୂନ
କର୍ଣ୍ଣରେ ମୋର କରି ଅବତଂସ
ଚଳିଗଲେନି ବହନ । ୩ ।

ମୋ ଆନଟି ମୁଁ ମାନ
କରି ନାହିଁ ଚନ୍ଦ୍ରାବଳୀ ମନେ ରହି
ଥିବ ପରାଟି ଗୁମାନ । ୪ ।

ତେଜି ବ୍ରଜ ସଦନ
ଗେହପତି ମଥୁରାକୁ ଯିବା କଥା
କଲେ କି ଅନୁସନ୍ଧାନ । ୫ ।

ଗୋପାଳକୃଷ୍ଣ କଥନ
ପୌର୍ଣ୍ଣମାସୀ ଆସି ତା ଯାକ ନିଷେଧି
କଲେନି ତ ସମାଧାନ । ୬ ।