Heti Ma Keti Kunja Kutire

ହେଟି ମା କେଟି କୁଞ୍ଜ କୁଟୀରେ
(Gopalakrusna— Raga Malabagouda, Tala Aditala)
(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଆଦିତାଳ)

ହେଟି ମା କେଟି କୁଞ୍ଜ କୁଟୀରେ । ଘୋଷା ।

କଳା ହୋଇ ଦିଶୁଛି ଡୋଳା ଏଣେ ଢାଳୁଛି
ପଳାଇ ଆସୁଛି ବାଜୁଛି ତୁଳା କୋଟି । ୧ ।

ମୃଗମଦ ଉତ୍ପଳ ଅଗରୁ ପରିମଳ
ଲାଗରୁ ପ୍ରସରୁଛି କଟିରେ ପୀତ ଧଟୀ । ୨ ।

ଚଳାପାଙ୍ଗିନୀ ଚାଲ ତୋଳା ନୋହୁ ସେ ଫୁଲ
କଳାପୀ ପିଚ୍ଛ ଚୂଳ ଅନାଉଛି ଲେଉଟି । ୩ ।

କଞ୍ଜ ଘୁମାଇଲାନି ସଞ୍ଜ ହୋଇଗଲାନି
ଅଞ୍ଜନ ନିଭ ନବଘନ ଆସିଲା ଘୋଟି । ୪ ।

ଗୋପାଳକୃଷ୍ଣ ଭାଷେ ହେପା ନ କର କି ସେ
କ୍ଷପାକର ଲପନ ଆସୁଛନ୍ତି ପାଛୋଟି । ୫ ।