(ଗୋପାଳକୃଷ୍ଣ— ରାଗ ବାଗେଶ୍ରୀ, ତାଳ ଯତି)
ମୁହାମୁହିଁ କିଶୋର ଚନ୍ଦ୍ରମାଙ୍କର ମୋର
ଆଜ ଯମୁନା ତୀରେ ହୋଇଗଲା ମା । ଘୋଷା ।
ବେଳା ଶିଳାରେ ବସି ହେଳାରେ ତନୁ ଘଷି
ହେଉଥିଲି ବୟସୀ ଠାରି ଦେଲା ମା । ୧ ।
ଉଠୁ ମୁଁ ଝଟ କରି ଆଳୀ ଆପଟ କରି
ପ୍ରତି ପ୍ରତୀକ ଯାକ ଥରିଗଲା ମା । ୨ ।
ଫିଟି ଚରମେ କେଶ ଲୋଟୁଥିଲା ଗୋ ବାସ
ଥିବାଠାରେ ଯତନେ ନ ଥିଲା ମା । ୩ ।
ଆଉରି ରହ ବୋଲି ସେ କାଳେ ଭୂରୁବଲ୍ଲୀ
ଚାଲି ଚାହୁଁ ମୋ ଜ୍ଞାନ ହଜିଗଲା ମା । ୪ ।
ପଥରକୁ ଆସୁ ସେ ପଥ ମୋତେ ନ ଦିଶେ
ପାଥରେ ବୁଡ଼ ଆଳୀ କହିଦେଲା ମା । ୫ ।
ବୁଡ଼ିଗଲି ଲାଜରେ କାଳିନ୍ଦୀ ନୀରେ ନୀରେ
ଗୋପାଳକୃଷ୍ଣ ବାଟ କଢ଼ାଇଲା ମା । ୬ ।