(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ଝମ୍ପା)
ଶ୍ୟାମ ଯା ଯା ଜୁହାର ତୋ ପୀରତିକି । ଘୋଷା ।
ତୋର କଥାକୁ କୁଳଜା ପରତେ କରିଥିବ ଯା
ହୃଦୟରେ ମାରି ନ ଘେନି କାତିକି । ୧ ।
ବରଜର ଗାରଡ଼ିଆ ଦେଖାଇ ଏ ଭୂରୁ ଡିଆଁ
ମନମଥ ଭୂତ ଲଗାଉ ସତୀକି । ୨ ।
ମୁଁ ବୁଦ୍ଧି ହୁଡ଼ିଲିନି ତ ହୋଇଲା କାଳେ ବାଳୁତ
ମାରି ପକାଇ ଥିଲା କେ ଯୁବତୀକି । ୩ ।
ଗୋବର୍ଦ୍ଧନ ମଲ୍ଲ ଘରୁ ଲୁଚି ଅଇଲା ବେଳରୁ
ଚାହୁଁ ନ ଥିଲି ମୁଁ କି ସେ ପଦ୍ଧତିକି । ୪ ।
ଗୋପାଳକୃଷ୍ଣ କହଇ ବୋଲନ୍ତି ସେ ମୁଁ ନୁହଇ
ଛୁଅଁ ବୋଇଲେ ଛୁଇଁବି ଧରତୀକି । ୫ ।