Mote Lagana Re Braja Bidhu Lata

ମୋତେ ଲଗାନା ରେ ବ୍ରଜବିଧୁ ଲଟ
(Gopalakrusna— Raga Anandabhairabi, Tala Ekatali)
(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ମୋତେ ଲଗାନା ରେ ବ୍ରଜବିଧୁ ଲଟ
ତୃଣରୁ ତୁଚ୍ଛ ଜଟିଳା କରିବ ନିପଟ । ଘୋଷା ।

ଥରେ ହେଲେ ସ୍ୱଚ୍ଛ କରି ବିଲୋକି ନାହିଁ ମୁଁ ଡରି
କଳା କି ଗୋରା ସେ ନବ ଶିଖଣ୍ଡ ମୁକୁଟ । ୧ ।

ଅତି ମନ୍ଦ ମୋ ନଣନ୍ଦ ଜିଣିଲା କ୍ଷଣି ଅଳିନ୍ଦ
ସକ୍ରୋଧ ହୋଇ ବଦନ କରୁଛି ବିକଟ । ୨ ।

କାଲି ଗୋଷ୍ଠ ପ୍ରାଙ୍ଗଣରେ ବୃଦ୍ଧ ଆଭୀର ସଭାର
ଚନ୍ଦ୍ରାବଳୀର ଚରିତ ବସିଥିଲା ହାଟ । ୩ ।

ଚାଲୁ ପାଦ କଣ୍ଟି କଣ୍ଟି ପଡ଼ୁଛି ନାନା ଅରଷ୍ଟି
ତୁଚ୍ଛାକୁ ଲୋକ ତରକି ବାନ୍ଧୁଛନ୍ତି ବାଟ । ୪ ।

କୃଷ୍ଣ ଲାଗି ମାଳା ଦେଇ ଗୋପାଳକୃଷ୍ଣ କହଇ
ଆନ ଦେଇଛନ୍ତି କିଳି ନ ଥାଅ କବାଟ । ୫ ।