(ଗୌରଚରଣ— ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ରୂପକ)
ବଡ଼ ଆନନ୍ଦ ରେ ଆଜି ଲାଗିଛି ଗୋପର ଦାଣ୍ଡେ
ନାନା କୁତୂହଳେ ନାଚନ୍ତି ଗୋପାଳେ
ହରି ହରି ବୋଲି ତୁଣ୍ଡେ । ଘୋଷା ।
ରୂପକ ମନ୍ଦିରା ତାଳ ବାଜେ ଘନଘନ
ସେ ତାଳ ବାଜେ ଘନଘନ
କଟୀରେ କିଙ୍କିଣୀ ବାଜେ କିଣିକିଣି
ସୁବଳୟ ଝଣଝଣ । ୧ ।
କେ ହସ୍ତକ କରଇ କେ କରଇ ଉକୁଟ
ଝାଁ ଝାଁ ଝନକୃତ ଥୈ
ଗତେ ତାଥେଇ ତାକିଟା
ଥେଇ ଧ୍ରୀମି ଖିଟା । ୨ ।
କେ ଆଳାପ କରେ ସା ସା ସାରିଗମ ପଦ
ମଙ୍ଗଳଗୁଜ୍ଜରୀ ରାଗରେ ମହୁରୀ
ସୁସ୍ୱରେ କରଇ ନାଦ
କେ ଊର୍ଦ୍ଧ୍ୱକୁ ହସ୍ତ ଟେକି ଗାନ କରେ ଉଚ୍ଚେ
କେବଣ ଗଉଡ଼ ବୁଢ଼ା ମହାଖୁଡ଼
ଲଇଁ ଲଇଁ କରି ନାଚେ । ୩ ।
କେ ଗାଏ ଗଉଡ଼ ଗୀତ କରିଣ ଢମାଳି
ଗୋବିନ୍ଦନଙ୍କୁ କନ୍ଧେ ବସାଇ ଆନନ୍ଦେ
ନନ୍ଦ ନାଚେ ଢଳି ଢଳି । ୪ ।
କାମସେଣା ସୁଷେଣ ଆବର ଚନ୍ଦ୍ରସେଣ
ବାହୁ ଦୋହଲାଇ ନାଚନ୍ତି ଗେହ୍ଲାଇ କରି
ଲୋକ ହରଷଣ । ୫ ।
ଗଗନେ ଦେଖନ୍ତି ଦେବେ କରି ଏକ ଦୃଷ୍ଟି
ବୋଲେ ଗୌର ଦ୍ୱିଜ ବ୍ରଜପୁରେ ଆଜି
ହରି ନାମାମୃତ ବୃଷ୍ଟି । ୬ ।