Gopi Dei Karataliki

ଗୋପୀ ଦେଇ କରତାଳିକି
(Gouracharana— Raga Kolahala, Tala Jhula)
(ଗୌରଚରଣ— ରାଗ କୋଳାହଳ, ତାଳ ଝୁଲା)

ଗୋପୀ ଦେଇ କରତାଳିକି
ନଚାଇଲେ ବନମାଳୀକି
କରେ ବାଇ ତାଳ ନାଚନ୍ତି ଗୋପାଳ
ଅନାଇ ମନାଇ ବ୍ରଜବାଳୀଙ୍କି । ଘୋଷା ।

କେ କରେ ଉକୁଟ ତାନରେ
କେହୁ ରସେ ଗୀତ ଗାନରେ
ବାଜେ କିଣିକିଣି କଟୀର କିଙ୍କିଣୀ
ନାଚିବାର ତାନମାନରେ । ୧ ।

ରାମ ନାଚୁଛନ୍ତି ବାଦରେ
କୃଷ୍ଣଙ୍କୁ ଅନାଇ ଆଦରେ
ବାଜେ ଝୁମୁଝୁମୁ ଝୁମୁକି ନୂପୁର
ରୋହିଣୀ ନନ୍ଦନ ପାଦରେ । ୨ ।

ଶ୍ରୀକୃଷ୍ଣ ମୁଖକୁ ଅନାଇଁ
କେଉଁ ଗୋପୀ କହେ ଘେନାଇ
ରାମଙ୍କର ନାଟ ଅଧିକ ହେଲା ତ
ତୁମ୍ଭେ କି ନାଚିଲ କହ୍ନାଇଁ । ୪ ।

ଗୋପୀମାନେ ଛଳବାଣୀକି
କହିବାର ବେଣୁପାଣିକି
ପାଦ ଛନ୍ଦି ନାଟ କଲେ ନନ୍ଦଚାଟ
ପ୍ରକାଶି ତ୍ରିଭଙ୍ଗ ଠାଣୀକି । ୫ ।

କେ ବୋଲେ ରେ ଧନ୍ୟ କାଳିଆ
ଭଲାରେ କାଇଞ୍ଚ ମାଳିଆ
କାହିଁ ରଖିଥିଲୁ ଏ ଭଙ୍ଗୀ ନର୍ତ୍ତନ
ଗୋପସୁତ ସଙ୍ଗ ମେଳିଆ । ୭ ।

ଯାହା ଶ୍ରୀଚରଣ ଧ୍ୟାନରେ
ବ୍ରହ୍ମା ଶିବ ସାବଧାନରେ
ସେ ପୁଣି ଗୋପରେ ନୃତ୍ୟ କରୁଛନ୍ତି
ଗୋପୀଙ୍କର ଅବଧାନରେ । ୮ ।

ଗଉରଚରଣ ମାନକୁ
ନ କହିବ ଆଉ ଆନକୁ
ଆହେ ଦୀନବନ୍ଧୁ କରୁଣାନିଧାନ
କର ଏହି ଅବଧାନକୁ । ୯ ।