Hati Jhulai Re Disai Kede Sundara

ହାତୀ ଝୁଲଇ ରେ ଦିଶଇ କେଡ଼େ ସୁନ୍ଦର
(GouracharanaAdatali)
(ଗୌରଚରଣଆଡ଼ତାଳି)

ହାତୀ ଝୁଲଇ ରେ ଦିଶଇ କେଡ଼େ ସୁନ୍ଦର
ଅପୂରୁବ ହାତୀ କାହୁଁ ଆସିଅଛି
କିବା ଏ ନୀଳକନ୍ଦର । ଘୋଷା ।

ଦେଖ ଦେଖ ସଖୀ ବକ୍ର ଭଙ୍ଗୀ ଆଖି
ଚାହାଣୀ ବିଷମ ଛଟା
ମତ୍ତ କରୀବର ହେଲା କାଳେ ଆଉ
ନ କରିବ କେଉଁ ହଟା । ୧ ।

କେମନ୍ତ ସୁନ୍ଦର ବେନି ରଜ ତାର
ଅଙ୍କୁରି ଆସୁଛି ସହୀ
ନାରୀ ଗଣ୍ଡସ୍ଥଳେ ଭେଦିବ ଏ କାଳେ
ଏଥିରେ ସଂଶୟ ନାହିଁ । ୨ ।

ଗଜ କପାଳକୁ ସୁନ୍ଦର ଦିଶଇ
ଚନ୍ଦ୍ରବିନ୍ଦୁ ଆଡ଼କରା
ସୁନ୍ଦରୀଙ୍କ ଭାଲ ସିନ୍ଦୂର ଲାଗିଲେ
କାଳେ ନୋହିବ କି ତୋରା । ୩ ।

ଏ ନୀଳବାରଣ ରଣକୁ ବରଣ
ହେଲା କାଳେ ଆଗ ବଢ଼ି
ଶମ୍ବର ଅଇରି ସମରରେ ହାରି
ଯିବ ଧନୁ ଶର ଛାଡ଼ି । ୪ ।

କେ ବୋଲେ ଏ ହାତୀ କେଉଁଠାରେ ଥିଲା
ଗୋପକୁ ଆଣିଲା କେହୁ
ନାନା ଖଦା ନାନା ବୋଲଣା କରିବ
କେ ସହିବ ଏହା ଦାଉ । ୫ ।

କେ ବୋଲେ ଏ ହାତୀ ମଥୁରାରେ ଥିଲା
କଂସ ରାଜା ବନ୍ଧା ଘରେ
ଶଙ୍କୋଳି ଛିଣ୍ଡାଇ ପଳାଇ ଆସିଣ
ରହିଛି ଗୋପ ନଗରେ । ୬ ।

କେ ବୋଲେ ରାଜାର ଅନେକ ଡଗର
ଆସିଥାନ୍ତି ଜଣେ ଜଣେ
ଦୁରୁଦଣ୍ଡ ହାତୀ ଧରା ନ ପଡ଼ିଣ
ସଭିଙ୍କି ମାଇଲେ ପ୍ରାଣେ । ୭ ।

କେ ବୋଲେ କାଳିଆ ହାତୀଟି ମେଳିଆ
ନ ମାନଇ ଖାଲଖମା
ଗୋପପୁର ଦହି ଦୁଧ ସର ଖାଇ
ହୋଇଛି ଧୂସର ଧୂମା । ୮ ।

କେ ବୋଲେ ଗୋକୁଳ ପଦ୍ମିନୀ ବନକୁ
ଉଜାଡ଼ିବ ଏହୁ କାଳେ
ଏ ହାତୀକି ନେଇ ବନ୍ଦି ରଖିଥିବ
କେଳି କଦମ୍ବର ମୂଳେ । ୯ ।

କେ ବୋଲେ ଏ ହାତୀ କନ୍ଧେ କେ ବସିବ
କାହାର ଏଡ଼ିକି ଭାଗ୍ୟ
ଗୌର ଦ୍ୱିଜ ବୋଲେ ରାସ ମଣ୍ଡଳରେ
ବୃନ୍ଦାବତୀ ହେବେ ଯୋଗ୍ୟ । ୧୦ ।