Ki Kali Aja Ki Huda Hudiliti

କି କଲି ଆଜ କି ହୁଡ଼ା ହୁଡ଼ିଲିଟି
(Gouracharana— Raga Soka Kamodi)
(ଗୌରଚରଣ— ରାଗ ଶୋକ କାମୋଦୀ)

ଚନ୍ଦ୍ରାବଳୀ ଉକ୍ତି
କି କଲି ଆଜ କି ହୁଡ଼ା ହୁଡ଼ିଲିଟି
ଜାଣିଯା ଜହର ଖାଇ ଲୋଡ଼ିଲିଟି । ଘୋଷା ।

କାହାକୁ କହିବି କି ଏ ମୋର ଅର୍ଜିଲା ଦୋଷ
ଧୀବର ବଚନ ଜାଲେ ପଡ଼ିଲିଟି । ୧ ।

ବିକା ନ ଗଲେ ଏ ଦଧି ନ ଥିଲା ମୋର କି ନିଧି
ସନ୍ତାପ ସରିତେ ପଡ଼ି ସଢ଼ିଲିଟି । ୨ ।

କଲି କି ମନ୍ଦ କରମ ହେଲି ମୁଁ ଅତି ଭରମ
କୈବର୍ତ୍ତ କୂଟ କୁଣ୍ଡରେ ପଡ଼ିଲିଟି । ୩ ।

ଶମନ ଭଗିନୀ ସେହି ତାହାକୁ ନ ଡରି ମୁହିଁ
କାଳ ସଙ୍ଗେ ବାଳ ଧରି ଲଢ଼ିଲିଟି । ୪ ।

କୁଳ ମହତ ଛାଡ଼ିଲି ଐଶ୍ୱର୍ଯ୍ୟ ମୁଁ ତ ଏଡ଼ିଲି
ନିଜାଙ୍ଗୁଳିରେ ନୟନ ତାଡ଼ିଲିଟି । ୫ ।

ଏ ଜୀବନ ଯିବା ପାଇଁ ଶୋଚନା ମୋହର ନାହିଁ
ସଖୀମାନଙ୍କ ସଙ୍ଗ ଯା ଛାଡ଼ିଲିଟି । ୬ ।

ଗୌର ଦ୍ୱିଜ ବୋଲେ ହରି ଏଥିରୁ ନ କଲେ ପାରି
ନିଶ୍ଚୟ ନଦୀ ମଧ୍ୟରେ ବୁଡ଼ିଲିଟି । ୭ ।