Syama Srianga Thani Go Sajani

ଶ୍ୟାମ ଶ୍ରୀଅଙ୍ଗ ଠାଣି ଗୋ ସଜନୀ
(Gouracharana— Raga Kalyana)
(ଗୌରଚରଣ— ରାଗ କଲ୍ୟାଣ)

ଚନ୍ଦ୍ରାବଳୀର ଖେଦୋକ୍ତି
ଶ୍ୟାମ ଶ୍ରୀଅଙ୍ଗ ଠାଣି ଗୋ ସଜନୀ
ବସି ଗଢ଼ିଥିଲା କେଉଁ ବିନ୍ଧାଣୀ ଗୋ ସଜନୀ । ଘୋଷା ।

ଯେତେ ନୀଳଚକ୍ର ସାରକୁ ଆଣି
ଏକ କରି ତନୁ ଅଛି ନିର୍ମାଣି ଗୋ ସଜନୀ । ୧ ।

ଚୂଳ ତଳକୁ ଲମ୍ବିଅଛି ବେଣୀ
କିବା ଖେଳା କରେ କାଳୀୟ ଫଣୀ ଗୋ ସଜନୀ । ୨ ।

ଭାଲେ ଗୋରଚନା ରଚନା ଗୁଣି
ମଧୁର ହାସକୁ ବାଙ୍କ ଚାହାଣୀ ଗୋ ସଜନୀ । ୩ ।

ପୀତବାସ ବିଦ୍ୟୁ ଝଟକ ଜିଣି
ଉରେ ବନମାଳ କଣ୍ଠରେ ମଣି ଗୋ ସଜନୀ । ୪ ।

କଟୀରେ ଶୋଭିତ କ୍ଷୁଦ୍ର କିଙ୍କିଣୀ
ପୟରେ ନୁପୂର ବଳା ବାଜେଣୀ ଗୋ ସଜନୀ । ୫ ।

ଦେଖି କାହା ଦମ୍ଭ ରହିବ ପୁଣି
ସୁରତ ଇଚ୍ଛିବେ ସୁର ତରୁଣୀ ଗୋ ସଜନୀ । ୬ ।

ଗୌର ଦ୍ୱିଜ କହେ ଶୁଣ ମୋ ବାଣୀ
ଦଇବ ଦେଲାଣି ତୁମ୍ଭଙ୍କୁ ଆଣି ଗୋ ସଜନୀ । ୭ ।