(ଗୌରଚରଣ— ରାଗ କୌଶିକ, ତାଳ ଝୁଲା)
ଏ କଥା ଅତି ବିଡ଼ମ୍ବଣ ଗୋ ଶୁଣ
ଲାଗିଛି ଘଟଣ ଗୋ ଶୁଣ । ଘୋଷା ।
ରାଜା ପେଷିଛି ଚାର ପଦ୍ମ ସହସ୍ରେ ଭାର
ଦେବେ ଏ ଗୋପଲୋକ ପୁଣ ଗୋ । ୧ ।
କାହା ପ୍ରାଣକୁ କାର ଆଶା ନାହିଁ ବିଚାର
ଜାଣି କେ ଲୋଡ଼ିବ ମରଣ ଗୋ । ୨ ।
ଏଡ଼େ ନିର୍ଦ୍ଦୟ କଂସ ମାରିବ ଆମ୍ଭ ବଂଶ
ତେଣୁ କରିଛି ଏ ଭିଆଣ ଗୋ । ୩ ।
ସବୁ ଦିନେ ତାହାର ଗୋପକୁ ଅହଙ୍କାର
କାହିଁକି ଏଡ଼େ ନିଦାରୁଣ ଗୋ । ୪ ।
କେ ବୋଲେ କି କରିବା କାହାକୁ ପଚାରିବା
କେ ଅବା ରଖିବ ଶରଣ ଗୋ । ୫ ।
କେ ବୋଲେ କିମ୍ପା ଡର କୃଷ୍ଣ ଛନ୍ତି ଆମ୍ଭର
ଅବଶ୍ୟ କରିବେ ରକ୍ଷଣ ଗୋ । ୬ ।
କେତେ କେତେ ଦଇତ ନ କଲେ କି ଉତ୍ପାତ
ସମସ୍ତେ ଲଭିଲେ ମରଣ ଗୋ । ୭ ।
ଅଘା ଶକଟା ବକା ତୃଣାବର୍ତ୍ତ ଧେନୁକା
କ୍ଷୀର ସଙ୍ଗେ ପୂତନା ପ୍ରାଣ ଗୋ । ୮ ।
ଏମାନ ଶୁଣି କଂସ କୃଷ୍ଣଙ୍କୁ କରି ରୋଷ
କରିଛି ଏ କୂଟ କଷଣ ଗୋ । ୯ ।
ଗଉର ଦ୍ୱିଜ କହେ ନ କର କିଛି ଭୟେ
ଯା ନାମ ମାନ ଉଦ୍ଧାରଣ ଗୋ । ୧୦ ।