(ଗୌରଚରଣ— ରାଗ ମୋହନା, ତାଳ ଝୁଲା)
ଶ୍ୟାମଘନ ଶୁଣ ହେ ବିକାଶିଲ କି ଗୁଣ
ବ୍ରଜ ଯୁବରାଜ ହୋଇଣ ଆପଣ
କରିଅଛ ଆଚ୍ଛା ଉତ୍ତମପଣ । ଘୋଷା ।
ଆମ୍ଭେ ସକଳ କୁଳବତୀ ନାରୀ
ନିତି ପୂଜା କରୁ ହର ଗଉରୀ
ଆମ୍ଭ କଉତୁକ ଆମ୍ଭେ କରୁଥିଲୁଁ
ତୁମ୍ଭଙ୍କୁ କେ କରୁଥିଲା ବରଣ । ୧ ।
ଥାଉ ଭଲପଣ ବସନ ଦିଅ
ତୁନି ହୋଇ ଗୋପ ପୁରକୁ ଯାଅ
ରଖିଥାଅ ମନେ ଆଉ କେଉଁ ଦିନେ
ନ କରିବ ଏଡ଼େ ଅନୀତିପଣ । ୨ ।
କାହାକୁ ଏମାନ କହିବା ଆଉ
ସ୍ନାନ ଘାଟରେ ଡକାଇତ ଦାଉ
ସରିଲା ଏ ଗୋପ ମହତ୍ତ୍ୱ ମର୍ଯ୍ୟାଦା
ଏଣିକି ଏମାନ ହେଲା ଭିଆଣ । ୩ ।
ବ୍ରଜରାଜ ସୁତ ହୋଇଛ ତେଣୁ
ଅତି ଅନୀତି କରୁଅଛ ତେଣୁ
ଏ ଗୁମାନ ରହିବ ନାହିଁଟି ମାନଟି
କି କଂସ ରାଜନ ରାଣ । ୪ ।
ଦେବ କି ନ ଦେବ ବହନ କହ
ଶୀତେ ଆମ୍ଭର କମ୍ପୁଅଛି ଦେହ
ଯାହା ହେବ ତାହା ପଛନ୍ତେ ଜାଣିବ
କହଇ ଦ୍ୱିଜ ଗଉରଚରଣ । ୫ ।