(ଗୌରଚରଣ— ରାଗ କୌଶିକ, ତାଳ ଝୁଲା)
ରହ କେଣିକି ଯାଉଅଛ ଗୋ
ଏ କଥା ଅତିହିଁ ସନ୍ଦେହ । ଘୋଷା ।
ଏ ଯେ ଅନ୍ଧାର ନିଶି ତୁମ୍ଭେ ନବ ବୟସୀ
ମାନେ ତ ହୋଇଛ ସମୂହ ଗୋ । ୧ ।
ଆଗୋ ରମଣୀମଣି କହ ସ୍ୱରୂପ ବାଣୀ
ମନରେ ବିହ୍ୱଳିତ ନୁହ ଗୋ । ୨ ।
ଦଇବ ପ୍ରତିକୂଳ ଆଜ ହେଲ ବାତୁଳ
ଏଣୁ ସମସ୍ତେ ହେଲ ମୋହ ଗୋ । ୩ ।
ଏ ତ ଅତି ଅନୀତି ତୁମ୍ଭେ ଗଲେ ଏ ରାତି
ଜାତିରେ ହେବଟି ଦୁଃସହ ଗୋ । ୪ ।
କହେ ଦ୍ୱିଜ ଗଉର କି ଦୋଷ ଗୋପୀଙ୍କର
ମୁରଲୀ କଲାଣି ବିରହ ଗୋ । ୫ ।