(ଗୌରଚରଣ)
ହଟିଆ ନଟନାଗର ନାନା ଲୀଳା କରି
କଉତୁକେ ଦେଖୁଥାନ୍ତି ଗୋପ ନର ନାରୀ । ଘୋଷା ।
ବନେ ବନେ ବୁଲି ନାନା କୁସୁମ ତୋଳନ୍ତି
କେ କାହା ଅଙ୍ଗରେ ନେଇ ଚନ୍ଦନ ବୋଳନ୍ତି
କେ ପୁଷ୍ପ ବିଞ୍ଚଣୀ ଧରି ଧୀରେ ଧୀରେ ବିଞ୍ଚେ
ତାନ ମାନ ମିଶାଇ କେ ଗାନ କରେ ଉଚ୍ଚେ । ୧ ।
ବଳରାମ ନାଚନ୍ତି ନାଚନ୍ତି ଗୋପୀ ବୃନ୍ଦ
ଆପେ ବେଣୁ ଧରି ମଧ୍ୟେ ନାଚନ୍ତି ଗୋବିନ୍ଦ
କେ କରେ ଉକୁଟ ଭଙ୍ଗୀ କେ କରେ ହସ୍ତକ
ମଦନରେ ମତ୍ତ ହୋଇ କମ୍ପାଏ ମସ୍ତକ । ୨ ।
କେହୁ ବୋଲେ ସା ସା ସାରି କେହୁ ବୋଲେ ଧିନା
କେ ରାଗ ଆଳାପ କରି ବୋଲେ ତାନା ନାନା
କେହୁ ଗାଏ ଗୁଣ୍ଡକେରୀ କେହୁ ରାମକେରୀ
ଲଳିତ କାମୋଦୀ ତୋଡ଼ି ପଟହମଞ୍ଜରୀ । ୩ ।
କେ ଗାଏ ମହ୍ଲାର ରାଗେ କେ ଗାଏ ମାଳବ
ମଙ୍ଗଳ ଧନାଶ୍ରୀ ଚୋଖି ବସନ୍ତ ଭୈରବ
କଲ୍ୟାଣ ଆହାରୀ କାଫି ନଳିନୀଗଉଡ଼ା
ଗୁଜ୍ଜରୀ କେଦାର କୁମ୍ଭକାମୋଦୀ କନଡ଼ା । ୪ ।
ଛତିଶ ରାଗିଣୀ ଷଟ ରାଗ ପରିପୂର୍ଣ୍ଣ
ଝୁଲା ଏକତାଳି ପହପଟ ସରିମାନ
ତାଳ ରାଗ ଆଦି ପଞ୍ଚ ସ୍ୱରକୁ ମିଶାଇ
ମୁରଲୀରେ ଗାଇ ଗୋପୀ ମନକୁ ରସାଇ । ୫ ।
ଧନ୍ୟ ଧନ୍ୟ ଧନ୍ୟ ଗୋପୀମାନଙ୍କର ଭାଗ୍ୟ
ବୃନ୍ଦାବନ ଚନ୍ଦ୍ରଙ୍କ ସେବାରେ ହେଲେ ଯୋଗ୍ୟ
ସାଧକ ସିଦ୍ଧି ଭକ୍ତିକି ସେ ସିନା ଜାଣନ୍ତି
ନିଶି ଦିବା ବସି ନାମ ହୃଦରେ ଗୁଣନ୍ତି । ୬ ।
ଭକ୍ତର ଅଧୀନ ଭାବଗ୍ରାହୀ ଚକାଡୋଳା
ଭକ୍ତର ନିମନ୍ତେ କରିଥାନ୍ତି ନାନା ଲୀଳା
ଭକ୍ତ ଦୁଃଖେ ଦୁଃଖୀ ପ୍ରଭୁ ଭକ୍ତ ସୁଖେ ସୁଖୀ
ଭକ୍ତଙ୍କୁ ଦେଖିବା ପାଇଁ ଅପଲକ ଆଖି । ୭ ।
ଭକ୍ତ ଅବା କେତେବେଳେ କରିଥାଏ ମାନ
ତା ଗାଳି ଶୁଣିବା ପାଇଁ ଡେରିଥାନ୍ତି କାନ
ଭକ୍ତଭାବକୁ ଚାଖନ୍ତି ଭକ୍ତିକି ଚଖାନ୍ତି
ଭକ୍ତଠାରେ ବଶ ହୋଇ ମହିମା ଦେଖାନ୍ତି । ୮ ।
ନାଚନ୍ତି ନଚାନ୍ତି ଆପେ ହସନ୍ତି ହସାନ୍ତି
ଭକତଙ୍କୁ ନେଇ ଭାବ ସମୁଦ୍ରେ ଭସାନ୍ତି
କେ ଜାଣେ ମଣିମା ଦେବେ ଅଗୋଚର ଯେହୁ
ଯାହାକୁ ଜଣାନ୍ତି କିଞ୍ଚିତରେ ଜାଣେ ସେହୁ । ୯ ।
ଏ ମୁରଲୀ ଗୀତ ଦୃଢ଼ ଚିତ୍ତେ ଯେ ଶୁଣନ୍ତି
କି ଅବା ସ୍ନେହରେ ଆପେ ବଦନେ ଗୁଣନ୍ତି
କୁତର୍କ ହରଣ ପ୍ରେମ ଭକ୍ତି ହୋଏ ଜାତ
କରୁଣା କରନ୍ତି ଗୋପୀଜନ ପ୍ରାଣନାଥ । ୧୦ ।
ଆହେ ଗୋପୀ ଭକ୍ତମାନେ ମୋତେ କୃପା କର
ତୁମ୍ଭ ପାଦ ସେବାରେ କରାଅ ପରିଚାର
ମୁଁ ମୂଢ଼କୁ ଯେବେ କରିପାରିବ କାରଣ
ଯଶ ଅର୍ଜିବ କହଇ ଗଉରଚରଣ । ୧୧ ।