(ଗୌରଚରଣ)
କାମ ମୋହନ ହେ ଚାହୁଁ ତ ନାହଁ ଏଣିକି
କପଟ ପରିଣ ପୀତପଟ ଯାଉଛ କେଣିକି । ଘୋଷା ।
ଯେ ଯାହାର କିଣା ଦାସୀ ସେ ଯେବେ ହୁଅଇ ଦୋଷୀ
ତାକୁ ପ୍ରଭୁ ନାଶିବାର କାହିଁରେ ଅଛ ଶୁଣି କି । ୧ ।
ସ୍ନେହ ଜଳ ଢାଳି ଢାଳି ପ୍ରୀତିଲତା ଅଛ ପାଳି
ସେ ଏବେ ଅଛି କନ୍ଦଳ ତାକୁ ସ୍ୱହସ୍ତେ ହାଣି କି । ୨ ।
ଆହେ ନାଗର ମୁକୁଟ ତୁମ୍ଭର ଏଡ଼େ କପଟ
ହୃଦୟରେ ଥାଏ ବୋଲି ଆମ୍ଭେ ତା ଥିଲୁ ଜାଣି କି । ୩ ।
ତୁମ୍ଭକୁ ପାଇଲା ଦିନୁ ଯେତେ ଲାଜ ଭୟ ମନୁ
ସବୁ ଆମ୍ଭେ ଫିଙ୍ଗି ଦେଇଅଛୁଁ ଯମୁନା ପାଣିକି । ୪ ।
ଆମ୍ଭରି ନୟନେ ଘର କରିଛି ରୂପ ତୁମ୍ଭର
ଯେଣେ ଚାହିଁଦେଲେ ତେଣେ ଦେଖି ତ୍ରିଭଙ୍ଗିମା ଠାଣିକି । ୫ ।
ଆମ୍ଭେ କହୁଅଛୁଁ ଯେତେ କି ବିଚାର ଅଛି ଚିତ୍ତେ
ଭାଷୁ ନାହଁ କାହିଁ ପାଇଁ ପ୍ରେମ ଅମୀୟ ବାଣୀକି । ୬ ।
ଗୌର ଦ୍ୱିଜ କହେ ମୋତେ କଥାଏ ହେଉଛି ପ୍ରତେ
ସ୍ନେହ ବଳିଲା କି ଆଉ ମଧୁପୁର ରମଣୀଙ୍କି । ୭ ।