Chhada Madakhia Buddhi He

ଛାଡ଼ ମାଡ଼ଖିଆ ବୁଦ୍ଧି ହେ
(Baishnaba Pani)
(ବୈଷ୍ଣବ ପାଣି)

ଛାଡ଼ ମାଡ଼ଖିଆ ବୁଦ୍ଧି ହେ ବଡ଼ଦେଉଳ ବଡ଼ ଗୋସାଇଁ
ଯେ ମାଇଲା ମାଡ଼ ସେ ହୋଇଲା ବଡ଼
ବଡ଼ ବାଡ଼ ହେଲୁ ତାକୁ ତୁହି । ଘୋଷା ।

ମାଡ଼ ଦେଲା ଗୋପେ ଗଉଡ଼ୁଣୀ ରାଧା
ତା ଗୋଡ଼ ଧଇଲୁ ତୁହି
ନନ୍ଦଖୁଡ଼ ଛାଟ ଆଣ୍ଟେ ପିଟିବାରୁ
ଦେଲୁ ବଇକୁଣ୍ଠ ଭୂଇଁ । ୧ ।

କାମୁଡ଼ିଲା କାଳୀ ପାଦେ ବନମାଳୀ
କାଳିନ୍ଦୀ ହ୍ରଦରେ ଥୋଇ
କଠାଉର ଚିହ୍ନ ତା ଶିରେ ମୋହନ
ନେଲା କୀର୍ତ୍ତି ଅଛି ରହି । ୨ ।

ଉଗ୍ରପଣେ ଉଗ୍ରସେନ ଓଗାଳିଲା
ଲହୁଡ଼ି କରେ ଉଞ୍ଚାଇ
ତାର ଶିରେ ପାଟ ଦେଲୁ ନନ୍ଦଚାଟ
କରିଣ ମଥୁରା ସାଇଁ । ୩ ।

ପାଣ୍ଡବଙ୍କ ପାଇଁ ପଡ଼ା ମାଗି ମାଡ଼
ଖାଇ କଲୁ ରଣଜୟୀ
ପାଦ ପ୍ରତାରନ୍ତେ ଶ୍ରୀବତ୍ସ ବ୍ରାହ୍ମଣ
ତା ନାମକୁ ଅଛୁ ବହି । ୪ ।

ମାଡ଼ୁଆ ମୋହନ ମାଡ଼ ବିନୁ ଆନ
ଯୋଗ ତୋ କରମେ କାହିଁ
ବଇଷ୍ଣବ ଉକ୍ତି କଡ଼ିଆ ଧରିଛି
କରେ ଲଗାଇବା ପାଇଁ । ୫ ।