(ବୈଷ୍ଣବ ପାଣି)
ହାତୀ ମୁହାଁ ଜଗବନ୍ଧୁ ଜାତି ନାହିଁ ତୋହରି ହେ
ଜାତିଜ୍ଞାନ ଥିଲେ କ୍ଷତି କରନ୍ତୁ କି ମୋହରି ହେ । ଘୋଷା ।
ନାହିଁ ଉଚ୍ଚ ନୀଚ ତୋର କେ ଦ୍ୱିଜ କେବା ଚମାର
ଖାଇଲୁ ଅଇଁଠା ପାଶେ ଯେ କରିଲା ଗୁହାରି ହେ । ୧ ।
ପୋଇଲି ପୁଅ ବିଦୂର କଲା ସେ ତୋରେ ଆଦର
ଶାକ ଅନ୍ନ ଭୁଞ୍ଜି ଖୁସି ମନେ ଗଲୁ ବାହାରି ହେ । ୨ ।
ଗୋପାଳ ଟୋକାଏ କୋଳି ଚାଖିଦେଲେ ବନମାଳୀ
ତା ଗର୍ଭକୁ ଦେଲୁ ଗିଳି ବୃନ୍ଦାବନ ବିହାରୀ ହେ । ୩ ।
ଦନ୍ତକ୍ଷତ ଚୂତ ଫଳ ହରଷେ କଲୁ କବଳ
ଦେଲା ଶବରୀ ନ କରି ବରିଦେଲୁ ତାହାରି ହେ । ୪ ।
ମୁଁ ବିପ୍ର ଡାକୁଛି ଏତେ ବ୍ରୀଡ଼ା ମାଡ଼ୁଛି କେମନ୍ତେ
ବଇ ବୋଲେ ସଙ୍ଗେ ଭୁଞ୍ଜ ଅଙ୍ଗ ଉଠୁ ଶିହିରି ହେ । ୫ ।