(ବୈଷ୍ଣବ ପାଣି— ଖେମଟା)
ହେଳା କରନା ହେ ନୀଳାଚଳ ନାଥ ଆଉ
ବଳାଇଲା ଦୁଃଖ କଳାକର ମୁଖ
ତୋ ପରା ଚାଳକ ଥାଉଁ । ଘୋଷା ।
ମିଳାଇଲା ଦେହ ଜଳେ ଲୁଣ ପରି
ପଳାଇଯିବ ଏ ଜୀବ
ଟଳାଟଳି କଲେ ଲୀଳା ବିନୋଦିଆ
କେ କିମ୍ପା ତୋତେ ଭଜିବ । ୧ ।
ଗଳାକଟା ଛଟା କାଠାରୁ ଶିଖିଲ
କୁଳବୁଡ଼ା ନନ୍ଦବଳା
ଦୁରୁବଳେ ବଧି କି ଫଳ ପାଇବୁ
କୁରୁବଳ ଦମ୍ଭଟଳା । ୨ ।
ତୁଳାପଟ ପରି ଶଇଳ ତୋଳିଲୁ
ଗୋକୁଳ ଆକୁଳ ଦେଖି
ମୋ ବଳକୁ ଏବେ ପଛକୁ ଘୁଞ୍ଚୁଛ
ଲାଞ୍ଚ ଦେଇଥିଲେ ସେ କି । ୩ ।
ଅରଜୁନ ଶଳା ହୋଇ ନନ୍ଦିଘୋଷେ
ଚଳାଇଲୁ ଭାରତରେ
ଦେଲେ କି ପୁଳାଏ କୋନ୍ତି ପାଞ୍ଚ ପୋଏ
ହୀରା ଲୀଳା ତୋ ହାତରେ । ୪ ।
ନିଜ ଗୋଇ ନିଜେ ନ ଖୋଳା ସହଜେ
ଜଳଧିଜେମା ବଲ୍ଲଭ
ବଇଷ୍ଣବ ଭାଳେ ଭାସେ ଶୋକଜଳେ
ବଢ଼ା ତୋ କରପଲ୍ଲବ । ୫ ।