(ଯଶୋବନ୍ତ)
ଦୁତୀଆ ଚାନ୍ଦ ଦେଖି ମୋ ମନ ଆନନ୍ଦ
ଭଜତୁ ରାଧା ଗୋବିନ୍ଦ । ଘୋଷା ।
ହରେ ରାମକୃଷ୍ଣ ତିନି
ଶ୍ରୀଗୁରୁଙ୍କ ଆଜ୍ଞା ଘେନି
ଛ ପାଞ୍ଚ ଗୁଣନ୍ତେ ତିରିଶ ହୋଇଲା
ଆଉ ରହେ କାହିଂ ବେନି ଦୁତୀଆ ଲୋ । ୧ ।
ନାମଟି ନିତ୍ୟ ଷୋଡ଼ଶା
ରୂପ ଷୋଳ ତହିଂ ମିଶା
ମହାମନ୍ତ୍ର ଯହିଂ ବତିଶ ଅକ୍ଷର
ତହିଂ ଜଳେ ଦୀପ ଶୀଂସା ଦୁତୀଆ ଲୋ । ୨ ।
ଦକ୍ଷିଣ ବାରିଧି ତୀରେ
କଳପବଟର ମୂଳେ
ଶଙ୍ଖ ଚକ୍ର ଧରି ବିଜେ କରିଛନ୍ତି
ଯୋଗମାୟା ଶିର ପରେ ଦୁତୀଆ ଲୋ । ୩ ।
ଶୁକଳ ଗଉର ରଙ୍ଗ
କାଳୀ ଗୋରୀ ଦୁହେଂ ସଙ୍ଗ
ଷଷ୍ଠ ଚକ୍ର ପରେ ନାବ ବାହୁଛନ୍ତି
ନାଉରିଆ ଶିରୀରଙ୍ଗ ଦୁତୀଆ ଲୋ । ୪ ।
ଷଡ଼ଚକ୍ର ପରେ ଅନା
ଉଡ଼େ ଅବଧୂତ ବାନା
କହେ ଯଶୋବନ୍ତ ଦେବଙ୍କୁ ଦୁର୍ଲ୍ଲଭ
କରତୁ ନାମ ଭଜନା ଦୁତୀଆ ଲୋ । ୫ ।