(ଅଜ୍ଞାତ କବି— ରାଗ ଭୈରବୀ, ତାଳ ଖେମଟା)
ପଥର ହେଲ ହେ ପ୍ରଭୁ ପଥର ଟେକା
ପଥର ନୀଳଚକ୍ରରେ ଉଡ଼େ ପତାକା । ଘୋଷା ।
ପଥର ହୋଇ ଅହଲ୍ୟା ପତି ଶାପେ ପଡ଼ିଥିଲା
ପଥରେ ପୟର ଦେଇ କଲ ନାୟିକା । ୧ ।
ପଥରେ ଭେଟିଲା ହନୁ ଦୂତ ହେଲା ସେହି ଦିନୁ
ପଥର ବାନ୍ଧିଣ ସିନ୍ଧୁ ଲାଙ୍ଘିଲ ଲଙ୍କା । ୨ ।
ପଥରେ ଭେଟି ସୁଗ୍ରୀବ ଆଚରିଲା ମିତ୍ର ଭାବ
ପଥରେ ପଥର ଫିଙ୍ଗି ଭାଙ୍ଗିଲ ଲଙ୍କା । ୩ ।
ପଥରେ ଗଢ଼ା ଶରୀର ତୁମ୍ଭର ହେ ଚକ୍ରଧର
ଏ ଗରିବ ଡାକ କର୍ଣ୍ଣେ ନ ଶୁଣ କିମ୍ପା । ୪ ।