(ସାଲବେଗ)
କାହିଁକି ଆସିଛୁ ମନ କିସ ନେବା ପାଇଁରେ
ଆସିଅଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟ ହୋଇରେ । ଘୋଷା ।
ଘାଇଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ
ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଦୁରେ । ୧ ।
ତୁ ଯାହାକୁ ବିଭା ହେଲୁ ଶାଢ଼ୀ ଶଙ୍ଖା ଦେଇରେ
ଖାଉଅଛି ସେହି ତୋତେ କାଳରୂପୀ ହୋଇରେ । ୨ ।
ମାଟିଘଟ ପଞ୍ଜରୀରେ ପାଳୁ ସୁନା ଶୁଆରେ
ଅଠାକାଠି ଲଗାଇଛି ଭାବ ବିନୋଦିଆରେ । ୩ ।
କହେ ସାଲବେଗ ହୀନ ପାଦପଦ୍ମେ ଧ୍ୟାୟିରେ
ଶ୍ରୀରଙ୍ଗା ଚରଣ ବିନୁ ଅନ୍ୟ ଗତି ନାହିଁରେ । ୪ ।