Kharapa Tu Helu Re

ଖରାପ ତୁ ହେଲୁ ରେ
(Kabisurjya— Raga Kedara, Tala Tripata)
(କବିସୂର୍ଯ୍ୟ— ରାଗ କେଦାର, ତାଳ ତ୍ରିପଟା)

Kha Patala — Kisorachandrananda Champu
ଖ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ
ଖରାପ ତୁ ହେଲୁ ରେ । ଘୋଷା ।

ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁ ରେ
ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ ରେ । ୧ ।

ଖିଆଲ ପରି କି ଧନ ମନରେ ଭାଳିଲୁ ରେ
ଖଳିକାର ନୋହିଁ କଳା ନାଗକୁ ଚାଳିଲୁ ରେ । ୨ ।

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ
ଖମଣି ମଣ୍ଡଳକୁ ତୁ କର ବଢାଇଲୁ ରେ । ୩ ।

ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ
ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ । ୪ ।

ଖଟେ ଅଷ୍ଟଦୁର୍ଗ ନାଥ ତୋ ପଦେ ପହିଲୁ ରେ
ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ । ୫ ।