Kahaku Mun Karibain Sakhi He Chaka Akhi

କାହାକୁ ମୁଁ କରିବଇଁ ସାକ୍ଷୀ ହେ ଚକାଆଖି
(Sananda DwijaKhemata)
(ସାନନ୍ଦ ଦ୍ୱିଜଖେମଟା)

କାହାକୁ ମୁଁ କରିବଇଁ ସାକ୍ଷୀ ହେ ଚକାଆଖି । ଘୋଷା ।

ଡାକିଲେ ନାମ ଆରତେ ନ ଶୁଣ କିମ୍ପା ତୁରିତେ
କି ବିଚାରି ହୃଦଗତେ ନ ଡେର ଶ୍ରବଣ ପଥେ
ନାମ ଜପି କଣ୍ଠ ଗଲା ଶୁଖି ଶୁଖି । ୧ ।

ମୋ ଶୋଷ ଘଟ ମାତର ତୁମ୍ଭ କୃପା ଅକୂପାର
ରଖିଛ ରଙ୍କ ଉଦର ତୃଷ୍ଣା ନ ରହଇ ମୋର
ହେଉଅଛ ନିଷ୍ଠୁର କାହିଁକି ହେ । ୨ ।

ନେବ ବୋଲି କିଛି ଲାଞ୍ଚ ମନେ କରିଅଛ ପାଞ୍ଚ
ସେ କଥା ମନରୁ ମୁଞ୍ଚ ବଳିଗଲା ମନ ସ୍ୱଚ୍ଛ
ଗୋପପୁରେ ପୟସର ଚାଖି ଚାଖି । ୩ ।

ପାଇ ନାନା ଉପବନ ସେବାରେ ହରଷ ମନ
ଅଳସ କି ଅପଘନ ଘାରିଲା ନିଦ୍ରା ନୟନ
ନ ଶୁଣୁଛ ସେ କାରଣୁ ନିକି । ୪ ।

କହଇ ସାନନ୍ଦ ଦ୍ୱିଜ ଆହେ ପ୍ରଭୁ ଚତୁର୍ଭୁଜ
ଗଲାଣି କି ପୂର୍ବ ତେଜ ଦୁଃଖୀ ଦୁଃଖ ଯା ନ ବୁଝ
ହୋଇବାରୁ ନୀଳାଚଳେ ତୁମ୍ଭେ ସୁଖୀ । ୫ ।