Dinabandhu Jaya Niladri Bihari

ଦୀନବନ୍ଧୁ ଜୟ ନୀଳାଦ୍ରି ବିହାରୀ
(Hrudananda— Raga Todiparaja, Tala Aditala)
(ହୃଦାନନ୍ଦ— ରାଗ ତୋଡ଼ିପରଜ, ତାଳ ଆଦିତାଳ)

ଦୀନବନ୍ଧୁ ଜୟ ନୀଳାଦ୍ରି ବିହାରୀ
ଭକ୍ତଙ୍କର ହିତେ ନାମ ବହିଅଛ
କରେ ଶଙ୍ଖ ଚକ୍ର ଧରି । ଘୋଷା ।

ସୀମାତା ଧର ସୁତା ବାହନର
ଭକ୍ଷ ଡାକିଲା ଆରତେ
ରଥାଙ୍ଗ ପେଷିଲ ଅରାତି ନାଶିଲି
ରକ୍ଷା କରିଲ ତ୍ୱରିତେ । ୧ ।

ନାକଲୋକ ରାଜ ତନୁଜ ଅଗ୍ରଜ
ଜାୟା ଚିନ୍ତିଲା ଆକୁଳେ
ଲଜ୍ଜା ନିବାରଣ ଅବଳା ତାରଣ
କରିଅଛ ଅବହେଳେ । ୨ ।

ଗିରୀଶ ଦୁଲାଳ କନିଷ୍ଠ ମାତୁଳ
ସଙ୍ଗେ ମଇତ୍ର ହୋଇଲ
ବାମନାରି ଅରୀ ଆତ୍ମଜାକୁ ହରି
ଏକା କାଣ୍ଡକେ ବଧିଲ । ୩ ।

ଶମ୍ବରାରି ପର ଧରଧରାସୁତ
ବଂଶ ଅଜାମ୍ବିଳ ଜାତ
ଅନ୍ତକାଳେ ନାମ ଜପିବାରେ
ବଇକୁଣ୍ଠେ କଲା ସ୍ଥିତି । ୪ ।

କହେ ହୃଦାନନ୍ଦ ବେନି ଜନ୍ମ ମନ୍ଦ
ମୁଁ ଅଜାମିଳୁଁ ଅଧିକ
କେକୀ ପ୍ରିୟ ପୁଷ୍ପ ଉଦ୍ଭବ ବାନ୍ଧବ
କୁମର ଭୟରୁ ରଖ । ୫ ।