(ବାହାଦୁର ପ୍ରତାପରୁଦ୍ର ସିଂହଦେଓ— ଆଡ଼ତାଳି)
ସଖୀ ବଚନେ ରାଧିକା ଶ୍ୟାମ ପ୍ରେମାଧିକା
ହୋଇ ନୟନରେ ଭରି ବାରି
ବୋଲେ ସେ ରୂପ ଦେଖାଅ ଜୀବନ ରଖାଅ
ନ ଦେଖିଲେ ନିଶ୍ଚେ ଯିବି ମରି । ୧ ।
ନାମ ସୁଧାରୁ ମଧୁର ଲାଗୁଛି ମଧୁର
ହୋଇଥିବ ଯେତେ ଭଳି ରୂପ
ଦେଖି ମୋର ବେନି ନେତ୍ର ହୋଇବ ପବିତ୍ର
ଦୂର କରି ଚିର କାଳ ପାପ । ୨ ।
କୃଷ୍ଣ ନାମ ଶୁଣି ତୃଷ୍ଣ ହେଲାଣି ମୋ କୃଷ୍ଣ
ବର୍ଣ୍ଣ ଚାହୁଁଥାନ୍ତି ଅବିରତେ
ସୁଧା ଯାହାକୁ ଚଖାଇ ସେ ନିକି ନ ଖାଇ
ମୂରୁଛି ରହଇ ଘେନ ଚିତ୍ତେ । ୩ ।
ନାମ ଶୁଣିବାକୁ ମୋତେ ଶ୍ରବଣ ଅୟୁତେ
ଦେଇ ନାହିଁ ସଖୀ ବେଦବର
ମୋର ଅନନ୍ତ ରସନା ହୋଇଥିଲେ ସିନା
ଗୁଣିବା ମନ ହୁଅନ୍ତା ସ୍ଥିର । ୪ ।
କୃଷ୍ଣ ନାମକୁ ଶୁଣାଇ ମରମେ ହଣାଇ
କୃପା ନ କରୁଛ କିପାଁ ମୋତେ
ମରୀଚିକା ଚାହିଁ ମୃଗ ଯଥା ଉଦବେଗ
ମିଥ୍ୟାରେ ଭୁଲାଅ ନିକି ମୋତେ । ୫ ।
ଯେବେ ଶ୍ୟାମ ନାମ ସମ ସ୍ୱରୂପ ସୁଷମ
ଅଛି ଦେଖାଇଣ ମୋତେ ରଖ
ଯଶ ଅଶେଷ ମହୀରେ ପ୍ରଚାର ସହିରେ
ଦୁଃଖୀ ନେତ୍ରକୁ ମୋ ଦେଇ ସୁଖ । ୬ ।
ରାଧା ବାଣୀ ଶୁଣି ଭାଳି ତହିଁ କେଉଁ ଆଳୀ
କୃଷ୍ଣ ଚିତ୍ରପଟ ଆଣିଦେଲା
ଚାହିଁ କିଶୋରୀ ଅନ୍ତରଗତର କାତର
ତରଙ୍ଗିଣୀ ବୃଦ୍ଧି ହୋଇଗଲା । ୭ ।
ନ ରଖିଣ ଦମ୍ଭ କୁଳ ଲାଜ ଭୟ କୂଳ
ଶୀଳ ତଟ ତରୁ ତଡ଼ାଇଲା
ଅଷ୍ଟ ସାତ୍ତ୍ୱିକ ପବନ ଘାତରେ ଯବନ
ବିବେକ ନାବକୁ ବୁଡ଼ାଇଲା । ୮ ।
ମାର ପାଇ ଅବସର ଶାଣଦିଆ ଶର
କୋଟି କୋଟି ବିନ୍ଧିବାରୁ ବାଜି
ଚଳି ନ ପାରି ସେ ରକ୍ତ ସ୍ୱେଦଚ୍ଛଳେ ବ୍ୟକ୍ତ
ଫୁଟି ରୋମାଞ୍ଚ କି ଫୁଲରାଜି । ୯ ।
କହୁଁ କହୁଁ ସ୍ୱରଭଙ୍ଗ ହୋଇ କମ୍ପି ଅଙ୍ଗ
ଚାହୁଁ ଚାହୁଁ ଭଜିଣ ବିବର୍ଣ୍ଣ
ଅଶ୍ରୁ ନୟନରୁ ଗଳି ନ ପାରି ସମ୍ଭାଳି
ନିଶ୍ଚେଷ୍ଟିତ ହୋଇଗଲା ତୂର୍ଣ୍ଣ । ୧୦ ।
ଚେତା ଲଭନ୍ତେ ମହିଳା କେ ସଖୀ କହିଲା
ଦେଖ ଶ୍ୟାମ ରୂପ ଦମ୍ଭ ଧରି
ହେଳେ କୋଟି କୋଟି ମାର ଅଶ୍ୱିନୀକୁମାର
ପାଦ ତଳକୁ ନୋହିବେ ସରି । ୧୧ ।
ସହଚରୀ ବାଣୀ ଶୁଣି କହନ୍ତି ରମଣୀ
ଶିରୋମଣି ଧନ୍ୟ ଧନ୍ୟ ଚାରୁ
ମୋର ନୟନେ ଲାଖିଲା ଯେ ଚିତ୍ର ଲେଖିଲା
ହୋଇଥିବ ବିଶ୍ୱକର୍ମ୍ମା ଗୁରୁ । ୧୨ ।
ନାହିଁ ତ୍ରିପୁରେ ସମାନ ଚାହିଁଲେ ସମାନ
ହୋଇ ନ ରହିବେ ନାରୀ କେହି
ଯେବେ ଦେଖି ଦେବ ରତି ତା ପତିବରତି
ପଣ ବରତି ରହିବ ନାହିଁ । ୧୩ ।
ସଖୀ ମୋହନ ସଦନ ନିଶ୍ଚେ ଏ ବଦନ
ପାଇ ନୟନ ଛାଡ଼ିଲା ନାହିଁ
ଚିନ୍ତା କରି ଅହର୍ନିଶେ ସେ ମୁଖ ମାନସେ
ସ୍ୱର୍ଣ୍ଣପୁର ଯୁବରାଜ କହି । ୧୪ ।